ଓଡିଶା

odisha

ETV Bharat / bharat

ଅଡୁଆରେ ମଣିଶଙ୍କର ଆୟର: ରାମ ମନ୍ଦିର ବିରୋଧରେ ଝିଅ କରିଥିଲେ ପୋଷ୍ଟ, ସୋସାଇଟି କହିଲା ଘର ଛାଡ

Mani Shankar Aiyar and daughter gets notice over Ram Mandir comments: ରାମ ମନ୍ଦିର ବିରୋଧରେ ଝିଅ ବିବାଦୀୟ ପୋଷ୍ଟ କରିଥିଲେ । ଘର ଛାଡିବାକୁ ନୋଟିସ ଦେଲା ସୋସାଇଟି କମିଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 31, 2024, 7:04 PM IST

ଅଡୁଆରେ ମଣିଶଙ୍କର ଆୟର
ଅଡୁଆରେ ମଣିଶଙ୍କର ଆୟର

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍କରେ ଝିଅଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ଏବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟରଙ୍କୁ ଅଡୁଆରେ ପକାଇଛି । ସେ ଓ ତାଙ୍କ ଝିଅ ରହୁଥିବା ସୋସାଇଟିର ଓ୍ବେଲଫେୟାର କମିଟି ତାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଛି । 22 ତାରିଖରେ ଶ୍ରୀରାମ ଜନ୍ମଭୁମି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପିତ ହୋଇଛି । ଏହାର ଠିକ 2 ଦିନ ପୂର୍ବରୁ 20 ତାରିଖରେ ଆୟରଙ୍କ ଝିଅ ସୁରନ୍ୟା ଆୟର ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିରୋଧ କରିବା ସହ 3 ଦିନିଆ ବ୍ରତ ରଖିଥିବା ପୋଷ୍ଟରେ ଉଲ୍ଲେଖ କରିଥିଲେ । ସେ ରଖିଥିବା ବ୍ରତ ମୁସଲିମ ସମୁଦାୟ ପ୍ରତି ସମବେଦନା ବୋଲି ମଧ୍ୟ ଲେଖିଥିଲେ ସୁରନ୍ୟା । ପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ସୁରନ୍ୟାଙ୍କ ଏହି ପୋଷ୍ଟ, ସେ ରହୁଥିବା ଦିଲ୍ଲୀର ଜଙ୍ଗପୁରା ସ୍ଥିତ ସୋସାଇଟିରେ ଉତ୍ତେଜନା ସୃଷ୍ଟି କରିଥିଲା । ଏବେ ଏହି ସୋସାଇଟିର ରେସିଡେଣ୍ଟାଲ ଓ୍ବେଲଫ୍ୟାୟର କମିଟି ଆୟରଙ୍କ ପରିବାରକୁ ନୋଟିସ୍‌ ଜାରି କରିଛି । ଏପରି ମନ୍ତବ୍ୟ ସୋସାଇଟିରେ ରହୁଥିବା ଅନ୍ୟ ସଦସ୍ୟଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଇପାରେ । ଏପରି କାର୍ଯ୍ୟକଳାପ ଶାନ୍ତି ମଧ୍ୟ ଭଙ୍ଗ କରିପାରେ । ଧର୍ମ ବିରୋଧୀ ମନ୍ତବ୍ୟ ପାଇଁ ଆୟର ଓ ତାଙ୍କ ଝିଅ ସାର୍ବଜନୀନ ଭାବେ କ୍ଷମା ମାଗନ୍ତୁ, ନଚେତ ସୋସାଇଟି ଛାଡନ୍ତୁ ବୋଲି କମିଟି ଦ୍ବାରା ଜାରି ନୋଟିସରେ କୁହାଯାଇଛି । ତେବେ ଏ ସମ୍ପର୍କରେ ମଣିଶଙ୍କରଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତ :- ହିନ୍ଦୁପକ୍ଷର ବଡ ବିଜୟ; ଜ୍ଞାନବ୍ୟାପୀ ମସଜିଦରେ ପୂଜା ଅନୁମତି, ୭ଦିନରେ ସମସ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଛି । ଏଥିରେ ଦେଶ ଓ ବିଦେଶରୁ ପ୍ରାୟ 7 ହଜାର ନିମନ୍ତ୍ରିତ ଅତିଥି ଅଂଶଗ୍ରହଣ କରିଥିଲେ । କଂଗ୍ରେସର ଏକାଧିକ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା ସେମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ । ଏହି କାର୍ଯ୍ୟକ୍ରମକୁ ନେଇ ରାଜନୀତି କରାଯାଉଛି ବୋଲି କଂଗ୍ରେସ ସେତେବେଳେ ବିଜେପି ବିରୋଧରେ ଅଭିଯୋଗ କରିଥିଲା । ଏବେ ଦଳର ଜଣେ ବରିଷ୍ଠ ନେତା, ନିଜ ଝିଅଙ୍କ ବିବାଦୀୟ ପୋଷ୍ଟ ପାଇଁ ହଟହଟ୍ଟା ହେବାକୁ ବାଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details