ନୂଆଦିଲ୍ଲୀ: କ୍ରିକେଟରୁ ରାଜନୀତିକୁ ଆସି ଭାରତୀୟ ଜନତା ପାର୍ଟି ଟିକେଟରେ ସାଂସଦ ହୋଇଥିବା ଗୌତମ ଗମ୍ଭୀର ଆଜି ରାଜନୈତିକ ଜୀବନରୁ ସନ୍ୟାସ ଘୋଷଣା କରିଛନ୍ତି । ଗମ୍ଭୀରଙ୍କ ଘୋଷଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ମଧ୍ୟ ଚଳିତ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଝାଡଖଣ୍ଡର ହଜାରୀବାଗ ସଂସଦୀୟ ଆସନରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ଚଳିତ ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେ ତାଙ୍କ ଇଚ୍ଛା ସମ୍ପର୍କରେ ଦଳ ମୁଖ୍ୟ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି । ଆଜି ସାଂସଦ ସିହ୍ନା ଏହି ସୂଚନା ଟ୍ବିଟ କରି ପ୍ରକାଶ କରିଛନ୍ତି ।
ଆଜି ସାଂସଦ ସିହ୍ନା କରିଥିବା ପୋଷ୍ଟରେ ଲେଖିଛନ୍ତି,‘‘ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ, ମୋତେ ସକ୍ରିୟ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛି । ମୁଁ ବିଶ୍ବ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମୋର ଅବଦାନ ଦେଶ ଓ ଦେଶ ବାହାରେ ପୂର୍ବପରି ଜାରି ରଖିବି । ମୁଁ ଦଳ ସହିତ ରହିଛି, ଅର୍ଥନୈତିକ ଓ ଶାସନ ସମ୍ପର୍କରେ ମୁଁ ଦଳ ସହ କାର୍ଯ୍ୟ ଜାରି ରଖିବି ।’’ ତେବେ ସାଂସଦଙ୍କ ଅନୁରୋଧ ଉପରେ ବିଜେପି କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।
ଆଜି ପୂର୍ବାହ୍ନରେ ପୂର୍ବ-ଦିଲ୍ଲୀରୁ ସାଂସଦ ଥିବା ଗମ୍ଭୀର ମଧ୍ୟ ସମାନ ଘୋଷଣା କରିଥିଲା । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର 2019 ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । 2019 ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ପୂର୍ବ-ଦିଲ୍ଲୀ ଆସନରୁ ଲଢି ପ୍ରାୟ 6ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଚଳିତଥର ତାଙ୍କୁ ଟିକେଟ ନମିଳିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହାରି ମଧ୍ୟରେ ସେ ନିଜ ଆଡୁ ନିର୍ବାଚନରେ ନଢିବା ପାଇଁ ଅନୁରୋଧ କରିଛନ୍ତି ।