ନୂଆଦିଲ୍ଲୀ:ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଗୃହରେ ହଙ୍ଗାମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲଙ୍କ ମଧ୍ୟରେ ହେଲା କଥା କଟାକଟି । ଶାସକ ଦଳର ସାଂସଦମାନେ ରାହୁଲଙ୍କ ବୟାନକୁ ନେଇ ତୀବ୍ର ବିରୋଧ କରିଥିଲେ । ଅଷ୍ଟାଦଶ ଲୋକସଭା ଅଧିବେଶନର ଆଜି ଷଷ୍ଠ ଦିନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲ ନିଜ ଅଭିଭାଷଣ ରଖିବା ସମୟରେ ମହାଦେବ, ଗୁରୁ ନାନକ ଓ ପ୍ରଫେଟ ମହମ୍ମଦଙ୍କ ଛବି ପ୍ରଦର୍ଶିତ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମତି ଦେଇନଥିଲେ ସୁଦ୍ଧା ରାହୁଲ ନିଜର ଅଭିଭାଷଣ ରଖିଥିଲେ ।
ରାହୁଲ ଭାଷଣ ଦେବା ସମୟରେ କହିଥିଲେ, "ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ଗତ ଏକ ଦଶନ୍ଧି ଧରି ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି । ନିଜକୁ ହିନ୍ଦୁ କହୁଥିବା ଲୋକେ କେବଳ ହିଂସା, ଘୃଣା ଓ ଅସତ୍ୟର କଥା କୁହନ୍ତି । ସେମାନେ କେବେ ହେଲେ ହିନ୍ଦୁ ହୋଇପାରିବେ ନାହିଁ ।" ଏହି ସମୟରେ ସେ ନିର୍ଦ୍ଦିଷ୍ଟ ଧର୍ମର ଆରାଧ୍ୟ ଦେବତାଙ୍କ ଫଟୋଚିତ୍ର ପ୍ରଦର୍ଶିତ କରିଥିଲେ । ରାହୁଲ ଏଭଳି ମନ୍ତବ୍ୟ ରଖିବା ପରେ ଅଧିକାଂଶ ବିଜେପି ସାଂସଦ ଏହାକୁ ବିରୋଧ କରିବା ସହ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ଥାନରୁ ଉଠି ରାହୁଲଙ୍କୁ ବିରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ:-ପିଏମ ମୋଦି କହିଥିଲେ ଯେ ରାହୁଲ ସମ୍ପୂର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟକୁ ହିଂସା ସୃଷ୍ଟିକାରୀ କହିବା ସଙ୍ଗୀନ ପ୍ରସଙ୍ଗ । ଏହାର ପ୍ରତି ଉତ୍ତର ରଖି ରାହୁଲ କହିଥିଲେ ଯେ ସେ ହିନ୍ଦୁମାନଙ୍କୁ କହୁନାହାନ୍ତି । ବିଜେପି, ଆରଏସଏସ ଓ ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରନ୍ତି ନାହିଁ ।
ଜବାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ:- ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଥିଲେ । ସେ କହିଥିଲେ ଯେ କୋଟି କୋଟି ଲୋକ ହିନ୍ଦୁ ବୋଲି ଗର୍ବ କରନ୍ତି । ରାହୁଲ ଗାନ୍ଧୀ କଣ ଭାବୁଛନ୍ତି ସେମାନେ ସମସ୍ତେ ହିଂସା ସୃଷ୍ଟିକାରୀ । ରାହୁଲ ଗାନ୍ଧୀ ନିଜର ଏପରି ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିବା ଉଚିତ ।
ରାହୁଲଙ୍କ ଅଗ୍ନିବୀର ଯୋଜନା ମନ୍ତବ୍ୟକୁ ଆପତ୍ତି:- ରାହୁଲ ଅଗ୍ନିବୀର ଯୋଜନା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଏହି ଯୋଜନା ମୁତାବକ ଅଗ୍ନିବୀରମାନଙ୍କୁ ନା ଶହୀଦ ଘୋଷଣା କରାଗଲା ନା ପେନସନ ମିଳିଲା । ଏହି ମନ୍ତବ୍ୟ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ ବିରୋଧୀ ଗୃହକୁ ଭ୍ରମିତ କରିବାକୁ ଯାଉଛନ୍ତି । ଯୁଦ୍ଧରେ ଶହୀଦ ହୋଇଥିବା ଅଗ୍ନିବୀରଙ୍କୁ 1 କୋଟି କ୍ଷତିପୂରଣ ଭାବେ ପ୍ରଦାନ କରାଯାଉଛି ।