ମା' ଶାରଳାଙ୍କ ପୀଠରେ ଚନ୍ଦନଯାତ୍ରା, ୨୧ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ନୀତିକାନ୍ତି - ଜଗତସିଂହପୁରରେ ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା
🎬 Watch Now: Feature Video
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଅନୁଷ୍ଠିତ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ୨୧ଦିନ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ମାଙ୍କ ପୀଠ । ଏଥିସହ ୨୧ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟ କରାଯିବ । ମଧ୍ୟାହ୍ନଧୂପ ପରେ ରୁପା ପିଙ୍ଗଣରେ ପ୍ରୀତିଅର୍ଣ୍ଣ ବଢ଼ାଯିବା ପରେ ମାଙ୍କ ଚଳନ୍ତି ବିଗ୍ରହଙ୍କୁ ମାଣିମୟ ବିମାନରେ ଆରୋହଣ କରାଯାଇ ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରାଯାଇଥାଏ । ତେବେ ୭ଥର ନୌକା ବିହାର କରିବା ପରେ ଚନ୍ଦନ ପୁଷ୍କରିଣୀ ମଧ୍ୟରେ ଥିବା ଦୀପଦଣ୍ଡିରେ ବିଜେ କରାଯାଇ ଭୋଗ, ଆଳତୀ ଓ ବନ୍ଦାପନା ନୀତି ସମ୍ପାଦନ କରାଯାଇଥାଏ । ସାନ୍ଧ୍ୟ ଆଳତୀ ପରେ ମଧ୍ୟ ମାଙ୍କୁ ଚନ୍ଦନ ଲେପ କରାଯାଇ ପୁନର୍ବାର ଚାପକୁ ବିଜେ କରିବାର ପରମ୍ପରା ରହିଛି । ଏହା ଏକ ଶକ୍ତିପୀଠ ହୋଇଥିଲେ ମଧ୍ୟ ବୈଷ୍ଣବୀୟ ପଦ୍ଧତି ଅନୁସାରେ ନୀତିକାନ୍ତି ପାଳନ ହୋଇଥାଏ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ