thumbnail

ରଥଖଳା ହାଲଚାଲ: ତିନି ରଥର ଚାଲିଛି ଚାରି ନାହାକା ନିର୍ମାଣ କାର୍ଯ୍ୟ

By

Published : May 29, 2022, 3:51 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ତିନିରଥର ମୋଟ ୪୨ଟି ଚକରୁ ୩୯ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନିରଥର ଆଉ ୩ଟି ଚକ ନିର୍ମାଣ ବାକି ରହିଛି । ଉକ୍ତ ୩ଟି ଚକ ପାଇଁ ୧୬ଟି ଲେଖାଏଁ ଅର ପଟାରେ ଅର କାର୍ଯ୍ୟ ସରିଛି । ଏଥିସହ ୧୨ଟି ପଇ କଟକ ସ' ମିଲ୍‌ରୁ ଆସିବା ପରେ ପଇବିନ୍ଦ ହେଲେ ସମ୍ପୂର୍ଣ୍ଣ ଚକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ । ତାଳଧ୍ଵଜ ରଥର ୧୩ଟି ଚକ ନିର୍ମାଣ ସରିଛି । ଏଥିସହ ଚାରି ନାହାକା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପୋଟଳ ଖଡ୍ଡୀ, ପୋଟଳ ପାରେଣି ନିର୍ମାଣ ନିମନ୍ତେ ୬ଟି କାଠରଥ ଅମିନ ଭୋଇ ଯୋଗାଇ ଦେଇଛନ୍ତି । ଦେବଦଳନ ରଥର ୧୧ଟି ଚକ ନିର୍ମାଣ ସରିଛି । ଶେଷ ଚକ ନିର୍ମାଣ ପାଇଁ ୧୬ଟି ଅରପଟାରେ ଅର ମୁହା ସାଲ ହୋଇଛି । ଏତଦ୍‌ବ୍ୟତୀତ ଦୁଇଟି ଚାରି ନାହାକାର ଚଉପଟ ଶେଷ ହୋଇ ଆଠ କୋଣୀ ଅଂଶ ନିର୍ମାଣ ସରିଛି । ଏଥିସହ ଚଉଦ ନାହାକା ନିର୍ମାଣ ପାଇଁ ୪ଟି ନାହାକାର ଚଉପଟ କାର୍ଯ୍ୟ ଆରମ୍ଭ ହେଉଛି । ନନ୍ଦିଘୋଷ ରଥର ୧୬ଟି ଚକରୁ ୧୫ଟି ନିର୍ମାଣ ସରିଛି । ପୋଟଳ ଖମ୍ବ, ପୋଟଳ ପାରେଣି, ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଥିବା ୬ଟି ସାଲ ଗୁଜରେ ସିଂହ ବରାଳ ରୂପ ଖୋଦେଇର ପଲିସ୍ କାର୍ଯ୍ୟ ସହ ୪ଟି ତିଖ ଗୁଜରେ ସିଂହ ବରାଳ ରୂପ ଖୋଦେଇ ଜାରି ରଖୁଛନ୍ତି । ଦୋଳବେଦି ସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ତିନିରଥ ପାଇଁ ଘଡି ମୁହଁ, ଦଣ୍ଡା କଣ୍ଟା ଏବଂ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.