thumbnail

ରଥଖଳା ହାଲଚାଲ: ତିନିରଥ ପାଇଁ ସରିଲା ୧୫ ଚକ ନିର୍ମାଣ

By

Published : May 19, 2022, 4:41 PM IST

ପୁରୀ: ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ମେ' ମାସ 19 ତାରିଖ ସୁଦ୍ଧା ତିନିରଥ ପାଇଁ ୧୫ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥର ୫, ନନ୍ଦିଘୋଷ ରଥର ୬ ଏବଂ ଦେବଦଳନ ରଥର ୪ଟି ଚକ ନିର୍ମାଣ ସରିଛି । ଆଉକିଛି ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ୪୫ଫୁଟିଆ ତିନୋଟି ଧଉରା କାଠରେ ଶ୍ରୀଫଳ ବାଡେଇ ମହାରଣା ସେବକ ଅଖ ନିର୍ମାଣ ଆରମ୍ଭ କରିଛନ୍ତି । ମାଳ ଲାଗିକରି କାଠଗୁଡିକୁ ପୂଜା କରାଯାଇଥିଲା । ମୁଖ୍ୟ ମହାରଣା ମାପ ଦେବାପରେ ଅନ୍ୟ ମହାରଣାମାନେ ବାରିଶି ମାଧ୍ଯମରେ ତାହାକୁ ଚଉପଟ କରୁଛନ୍ତି । ଏହାପରେ ଅଖ ଦୁଇପାର୍ଶ୍ଵରେ ଚକ ସଂଯୋଗ ପାଇଁ ଗୋଲେଇ କରାଯିବ । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ପ୍ରସ୍ତୁତ କରୁଥିବା ଲୁହାବଳା ଏବଂ ପନ୍ଦାରି ଚକଗୁଡିକରେ ଲାଗି କରାଯାଉଛି । ସେହିପରି ତିଖଗୁଜ, ଜଳଯନ୍ତ୍ର ଏବଂ କୁଡୁକା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ କୋଣ ଗୁଜରେ ନୃସିଂହମୂର୍ତ୍ତି ଖୋଦେଇ କରୁଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.