ରଥଖଳା ହାଲଚାଲ: ୩ରଥର ଚାଲିଛି କଳସ, ପାଖୁଡା, ଚନ୍ଦ୍ର ଶାଳୀ କାର୍ଯ୍ୟ - ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ବଡ଼ପୋଟଳ ଉଠାଯିବା ପରେ ଏବେ କଳସ, ପାଖୁଡା, ଚନ୍ଦ୍ର ଶାଳୀ କାର୍ଯ୍ୟ ଚାଲିଛି । ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଯେଉଁ କାର୍ଯ୍ୟ ଆବଶ୍ୟକ ତାହା ଚାଲୁ ରହିଛି । ତିନିରଥର ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଖପୁରି ଏବଂ ପାରାଭାଡ଼ିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡ଼ିଥାଏ । ସେଥିମଧ୍ୟରୁ ତିନିରଥର ‘ବଡ଼ଧରା’ ପୋଟଳ ପଡ଼ିଛି । ତିନିରଥର ସମ୍ମୁଖ ଭାଗ ବ୍ୟତୀତ ଅନ୍ୟ ୩ ପାର୍ଶ୍ଵରେ ବଟନ ବାଡ଼ିଆ ଶେଷ ହୋଇଛି । ଏହାପରେ ବେଦି ଚାରିପଟେ ପଟା ପକାଯିବ । ଏଥିସହ ତିନିରଥର ନାହାକା କଇଁଛି ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଛି । ତିନି ରଥର ୨ଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇ ରଥ ନିକଟରେ ସାଇତା ଯାଇଛି । ଏହି କତରା ରଥତ୍ରୟରେ ଫିଟିଙ୍ଗ କରାଯିବ। ତିନିରଥର ୮ଟି ଲେଖାଏଁ ମଗର ମୁଖପଟା ନିର୍ମାଣ ସରିଛି । ତିନି ରଥର ଚାର ପରିଚ୍ଛା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ସେଥିରେ ଡାଳି ଲତା ଏବଂ ପଦ୍ମପାଖୁଡା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୧୨ଟି ଲେଖାଏଁ କଣି ଫାଉଡା ନିର୍ମାଣ ଶେଷ ହୋଇଛି । ତିନିରଥର ରୂପକାର ସେବକମାନେ ୮ଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିବା ସହ ତିନିରଥର ଚାର ପରିଛାରେ ଡାଳି ଲତା ଏବଂ ପଦ୍ମ ପାଖୁଡ଼ା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକର ସେବକମାନେ ତିନିରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତିଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
ଇଟିଭି ଭାରତ, ପୁରୀ