thumbnail

ଶ୍ରମିକ ଦିବସରେ ସର୍ଟସର୍କିଟ ଯୋଗୁଁ ଶ୍ରମିକଙ୍କ ମୁତ୍ୟୁ

By

Published : May 1, 2023, 7:59 PM IST

ଖୋର୍ଦ୍ଧା : ସଟ୍‌ସର୍କିଟ ଯୋଗୁଁ ଜଣେ ଶ୍ରମିକଙ୍କ ମୁତ୍ୟୁ ହୋଇଛି ।  ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଏପରି ଘଟଣା ଘଟିଛି । ସାରୁଅ ଶିଳ୍ପାଞ୍ଚଳରେ ଥିବା ଲିଙ୍ଗରାଜ ପାଇପ କମ୍ପାନୀରେ ଆଜି ଶ୍ରମିକ ଦିବସରେ ଜଣେ ଶ୍ରମିକଙ୍କ ମୁତ୍ୟୁ ଘଟିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିର ଗ୍ରାମର ଆଲୋକ ଚୌହାନ ଦୀର୍ଘ ଦୁଇରୁ ଅଢେଇ ବର୍ଷ ଧରି ସାରୁଅ ଶିଳ୍ପାଞ୍ଚଳ ସ୍ଥିତ ଲିଙ୍ଗରାଜ ପାଇପ କମ୍ପାନୀରେ ମେଣ୍ଟେନାସ ହେଲପର ଭାବେ କାର୍ଯ୍ୟ କରୁଥିଲେ ।  ଆଜି ଶ୍ରମିକ ଦିବସରେ କାର୍ଯ୍ୟ କରୁଥିବା ବେଳେ ସର୍ଟସର୍କିଟ ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା ।  କମ୍ପାନୀ କତ୍ତୁପକ୍ଷ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଅଲୋକଙ୍କୁ ମୃତ ଘୋଷଣା କରିଥିଲେ ।  

ଏନେଇ ଘଟଣା ଜଣାପଡିବା ପରେ ଖୋର୍ଦ୍ଧା ମେଡିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଅଲୋକଙ୍କ ଗ୍ରାମରୁ ତାଙ୍କ ପରିବାର ପହଞ୍ଚି କମ୍ପାନୀ କତ୍ତୃପକ୍ଷ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ସେହିପରି ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ହୋଇଥିବା କହିଛନ୍ତି ଆଲୋକଙ୍କ ସମ୍ପର୍କୀୟ । ଅନ୍ୟପଟେ ପରିବାର ପକ୍ଷରୁ ତାଙ୍କ ପୁଅକୁ ମାରି ଦେଇଥିବା ସନ୍ଦେହ କରିଛନ୍ତି ଆଲୋକଙ୍କ ବାପା । ଆଜି ଶ୍ରମିକ ଦିବସରେ କିପରି କମ୍ପାନୀ କତ୍ତୁପକ୍ଷ ପୁଅକୁ କାର୍ଯ୍ୟ କରାଉଥିଲେ ସେନେଇ ପ୍ରଶ୍ନ କରିଛନ୍ତି । ଖବର ପାଇ ବାଘମାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆଲୋକଙ୍କୁ ମେଡ଼ିକାଲ ଆଣିଥିବା ଲିଙ୍ଗରାଜ କମ୍ପାନୀର ତିନି କର୍ମଚାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ସେହିପରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.