thumbnail

By ETV Bharat Odisha Team

Published : Nov 25, 2023, 9:51 AM IST

ETV Bharat / Videos

ଟନେଲରେ ଫସିଛନ୍ତି ଓଡ଼ିଆ ଶ୍ରମିକ; ଭେଟିବାକୁ ଗଲେ ସମ୍ପର୍କୀୟ

ରାଇରଙ୍ଗପୁର: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ନିର୍ମାଣଧୀନ ଟନେଲ ଭୁଶୁଡିବା ଫଳରେ ଦୀର୍ଘ 14 ଦିନ ହେବ ସେଠାରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ଓଡିଆ ଶ୍ରମିକ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଶ୍ରମିକ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ଶ୍ରମିକଙ୍କ ପରିବାର ଲୋକେ ଆଶା ବାନ୍ଧିଥିଲେ । ହେଲେ ଅଗର ମେସିନ ଖରାପ ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ଫଳରେ ମୟୂରଭଞ୍ଜ ଜିଲ୍ଲାର ତିନି ଜଣ ଶ୍ରମିକଙ୍କ ପରିବାର ଲୋକେ ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ପରିବାର ଲୋକେ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏବେ ବି ଚିନ୍ତାରେ ରହି ସେମାନଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟନେଲରୁ ବାହାରିବେ ନବରଙ୍ଗପୁରର ଭଗବାନ ଭତ୍ରା, ଭେଟିବାକୁ ଗଲେ ଭାଇ

ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ସମ୍ପର୍କୀୟମାନଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢାକୁଦର ଗ୍ରାମର ଧୀରେନ ନାଏକଙ୍କ ବଡ଼ ଭାଇ ଚିତ୍ତରଞ୍ଜନ ନାଏକ ଓ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକଙ୍କ ସମ୍ପର୍କୀୟ ଭାଇ ବିମଳ ନାଏକଙ୍କୁ ବାରିପଦା ସ୍ଥିତ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ସେଠାରୁ ବିଭାଗୀୟ ଗାଡି ଯୋଗେ ଭୁବନେଶ୍ବର ପଠାଯାଇଛି । ସେଠାରୁ ବିମାନ ଯୋଗେ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ସ୍ଥିତ ଟନେଲ ପାଖକୁ ନିଆଯିବ  । ସେଠାରେ ଶ୍ରମିକମାନେ ଉଦ୍ଧାର ହେବା ପରେ ସେମାନଙ୍କୁ ଭେଟିବା ପାଇଁ ବ୍ୟବସ୍ଥା କରାଯାଇ ଥିବାର କହିଛି ଜିଲ୍ଲା ଶ୍ରମ ବିଭାଗ । ସେପଟେ ଜିଲ୍ଲାର ତିନି ଜଣ ଶ୍ରମିକଙ୍କ ପରିବାର ଲୋକେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେପରି ଭଲରେ ଭଲରେ ସମସ୍ତେ ନିଜ ନିଜ ଘରକୁ ଫେରି ଆସନ୍ତୁ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.