'ପ୍ରଭୁ ରକ୍ଷା କର ଗୁହାରି କରୁଥାଏ, ଆଖି ଖୋଲିଲା ବେଳକୁ ବଞ୍ଚିଛି' - ଜୟ ଜଗନ୍ନାଥ
🎬 Watch Now: Feature Video
ବାଲେଶ୍ବର: ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି ହେଉଥିଲି, ହେ ପ୍ରଭୁ ରକ୍ଷା କର। ଏମିତି ମହାପ୍ରଭୁଙ୍କ ପାଖରେ ଗୁହାରି କରୁଥାଏ । ଆଖି ଖୋଲିଲା ବେଳକୁ ମୁଁ ବଞ୍ଚିଛି ବୋଲି ଜାଣିଲି। ଯେତେବେଳେ ଦୁର୍ଘଟଣା ଘଟିଲା ମୁଁ ସେ ବଗି ଭିତରେ ମିକ୍ସଚର ମେସିନ ଭଳି ଘାଣ୍ଟି ହେଉଥିଲି। ସବା ଆଗରେ ଥିବା ଲୋକାଲ ବଗିରେ ମୁଁ ଥିଲି । ବାହାରକୁ ଯେତେବେଳେ ବାହାରିଲି ସେତେବେଳେ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣୁଥିଲି । କିଏ କହୁଥିଲା ମୋତେ ଟିକେ ପାଣି ଦିଅ, କିଏ କହୁଥାଏ ମୋତେ ବାହାର କରିଦିଅ । ଏମିତି କହି ସେଦିନର କାହାଣୀ ବଖାଣିଛନ୍ତି ମୃତ୍ୟୁମୁଖରୁ ଫେରିଆସିଥିବା ବସ୍ତା ଅଞ୍ଚଳର ଜିତେନ୍ଦ୍ର ନାୟକ । ଏହାସହିତ ସଦର ବିଧାୟକ ସ୍ବରୂପ ଦାସଙ୍କୁ ବହୁତ ପ୍ରଶଂସା କରିଛନ୍ତି । ବିଧାୟକ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିବା ସେ କହିଛନ୍ତି । ଆଜି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରୁ ସୁସ୍ଥ ହୋଇ ଫେରିଛନ୍ତି ଜିତେନ୍ଦ୍ର । ସେ ସେଦିନ କରମଣ୍ଡଳ ଏକ୍ସପ୍ରେସରେ ଇଞ୍ଜିନର ପଛ ବଗିରେ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ସେହି ବଗିଟି ଅଧା ମାଟିରେ ପୋତି ହୋଇ ଯାଇଥିଲା । ଆହତ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ସେଦିନ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡର 10 ନଂ ବେଡ଼ରେ ଚିକିତ୍ସା କରାଯାଉଥିଲା । ଆଜି ସେ ଚିକିତ୍ସାଳୟରୁ ଘରକୁ ଯିବା ପାଇଁ ବିଧାୟକ ତାଙ୍କ ପାଇଁ ଗାଡି ବ୍ୟବସ୍ଥା କରିଥିଲେ । ଏସବୁ ସହଯୋଗ ପାଇଁ ଜିତେନ୍ଦ୍ର ସେଦିନର କଥା ଅତି କୋହଭରା କଣ୍ଠରେ ବୟାନ କରିଥିଲେ।
ଇଟିଭି ଭାରତ, ବାଲେଶ୍ବର