ଅଫେରା ରାଇଜରେ କଳାହାଣ୍ଡିର କିଶୋର କୁମାର - famous singer of kalahandi

🎬 Watch Now: Feature Video

thumbnail

By

Published : Jun 30, 2023, 10:03 PM IST

 କଳାହାଣ୍ଡି: ଅଫେରା ରାଇଜରେ କଳାହାଣ୍ଡିର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁନାମ ସୁନା ଓରଫ୍ ମୁନା । ତାଙ୍କ ସ୍ୱରର ଯାଦୁରେ ଦର୍ଶକ ଝୁମି ଉଠୁଥିଲେ।  ସମ୍ବଲପୁରୀ ଗୀତ ଠାରୁ ଆରମ୍ଭ କରି ଓଡ଼ିଆ ଆଲବମ, ଭଜନ ସହ କିଶୋର କୁମାରଙ୍କ ପ୍ରତ୍ୟେକଟି ଗୀତକୁ ବେଶ ନିଖୁଣ ଭାବେ ଗାନ କରି ଆସୁଥିଲେ। ଆଉ ସେଥିପାଇଁ କଳାହାଣ୍ଡିର କିଶୋର କୁମାର ନାଁରେ ସେ ଖୁବ ପରିଚିତ ଥିଲେ। ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ଭାବରେ ସେ ଅନେକ ସ୍ଥାନରେ ସୁନାମ ଅର୍ଜନ କରିଛନ୍ତି।

କଳାହାଣ୍ଡିର ଫେମସ ସମ୍ବଲପୁରୀ ଗୀତ "ଭେଣିଆ ରସିଆ ପିଲା" ଗୀତ ତାଙ୍କୁ ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ କରାଇପାରିଥିଲା। ଭବାନୀପାଟଣା ସହରର ଚୁଡ଼ିହାରି ପଡ଼ାରେ ୧୯୭୪ ମସିହା ଜୁଲାଇ ୧୯ ତାରିଖ ଜନ୍ମ ଗ୍ରହଣ କରିଥିଲେ ସୁନମ ସୁନା। ପିଲାଟି ଦିନରୁ ପାଠ ପଢା ପ୍ରତି ଆଗ୍ରହ ସହ ସଙ୍ଗୀତରେ ମଧ୍ୟ ବେଶ ରୁଚି ରହିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ନିୟନ୍ତ୍ରଣ ବଜାର କମିଟିରେ ନିଯୁକ୍ତି ପାଇବା ସହ ସଙ୍ଗୀତ ଦୁନିଆରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପ୍ରାୟ ବର୍ଷେ ଧରି ଅସୁସ୍ଥ ଥିବାବେଳେ ଗତ କିଛି ଦିନ ହେଲା ସେ ସୁସ୍ଥ ଅନୁଭବ କରିବା ପରେ ପୁଣି ସଙ୍ଗୀତ ଦୁନିଆକୁ ଫେରିଥିଲେ।  

ଗତ ୨୪ ତାରିଖରେ ଭବାନୀପାଟଣା ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ସେଥିରେ ଯେଉଁ ଗୋଟିଏ ଗୀତ ଗାଇଥିଲେ ସେହି ଗୀତ ଆଜି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଗା କାଳିଆ ହାତରେ ନିଜ ପରିବାରକୁ ଟେକି ଦେବା ଭଳି "ଛାମୁହେ" ଗୀତ ଗାଈ  ଦର୍ଶକଙ୍କ ଠାରୁ ବେଶ ପ୍ରଶଂସା ପାଇଥିଲେ କଳାହାଣ୍ଡିର କିଶୋର କୁମାର। ହେଲେ ଗତ ଦୁଇଦିନ ହେଲା ହଠାତ ତାଙ୍କ ଦେହ ପୁଣି ଥରେ ଅସୁସ୍ଥ ହୋଇପଡିଥିଲା ।

ପରିବାର ଲୋକେ ତାଙ୍କୁ ତୁରନ୍ତ ରାୟପୁର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାର ତାଙ୍କର ବିୟୋଗ ଘଟିଛି। ମୃତ୍ୟୁର ଖବର ପାଇବା ପରେ ସ୍ତବ୍ଧ ହୋଇ ପଡିଛି କଳା ଜଗତ। ଶେଷ ସମୟରେ ଗାଇଥିବା ତାଙ୍କର ଶେଷ ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଆଜି ତାଙ୍କ ମର ଶରୀର ଭବାନୀପାଟଣାରେ ପହଞ୍ଚିବା ପରେ ଶୋକାକୁକ ପରିବେଶ ଦେଖିବାକୁ ମିଳିଥିଲା। ଜିଲ୍ଲାର ପ୍ରତ୍ୟେକଟି କଳାକାର ସୁନମଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ସୁନାମଙ୍କ ବିୟୋଗ କଳାହାଣ୍ଡିର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.