thumbnail

By ETV Bharat Odisha Team

Published : Jan 15, 2024, 10:15 PM IST

ETV Bharat / Videos

ସଂକ୍ରାନ୍ତିରେ ସାକ୍ଷୀ ଗୋପିନାଥଙ୍କ ନିକଟରେ ସ୍ବତନ୍ତ୍ର ମକର ନୀତି

Makar Rituals at Sakhi Gopinath temple: ନିମାପଡ଼ା: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଗାଁଠୁ ସହର ସବୁଆଡେ ଚଳଚଞ୍ଚଳ । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତି ସାକ୍ଷୀ ଗୋପିନାଥଙ୍କୁ ପାଖରେ ଅନୁଷ୍ଠିତ ହୋଇଛି ସ୍ଵତନ୍ତ୍ର ମକର ନୀତି । ପରମ୍ପରା ଅନୁଯାୟୀ ସାକ୍ଷୀ ଗୋପିନାଥଙ୍କ ନିକଟରେ ଲାଗି ହୋଇଛି ମକର ଚାଉଳ ଭୋଗ । ମା' ଲକ୍ଷ୍ମୀ ବାପଘରୁ ଆଣିଥିବା ଭାରରେ ମକର ଭୋଗ ପ୍ରସ୍ତୁତ କରାଯାଇଛି ।  

ସାକ୍ଷୀ ଗୋପିନାଥ ପାଖରେ ବର୍ଷକୁ ଥରେ ମକର ଚାଉଳ ଭୋଗ ଲାଗି ହୋଇଥାଏ । ମକର ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଭୁଷିତ କରାଯାଏ । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର,ଖୁଆ, କାଜୁ, ଖିସମିସ,ଖିର ,ଛେନା, ବିଭିନ୍ନ ଫଳମୂଳ, ମହୁ, ଲବଙ୍ଗ, ଗୁଜୁରାତି, କର୍ପୂର ଓ ଚାଉଳକୁ ମିଶ୍ରିତ କରାଯାଇ ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ସାକ୍ଷୀ ଗୋପିନାଥ ପାଖରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି ଲୋକକଥାରେ ରହିଛି । ସେଥିମଧ୍ୟରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ ।  

ଏହା ବି ପଢନ୍ତୁ- ବଳଦେବଜୀଉଙ୍କୁ ଲାଗି ହେଲା ୮୪ ବ୍ୟଞ୍ଜନ ଭୋଗ, ମା' ଲକ୍ଷ୍ମୀଙ୍କ ବାପଘରୁ ଆସିଥିଲା

ପ୍ରଥା ଅନୁସାରେ ସାକ୍ଷୀ ଗୋପିନାଥଙ୍କ ମନ୍ଦିରକୁ ମାଆ ମହାଲକ୍ଷ୍ମୀ ମକରଭାର ଧରି ଆସନ୍ତାକାଲି ସନ୍ଧ୍ୟାରେ ଫେରିଛନ୍ତି । ତେବେ ଧନୁ ସଂକ୍ରାନ୍ତି ଦିନ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥିଲେ । ସାକ୍ଷୀ ଗୋପିନାଥଙ୍କୁ ବର୍ଷକୁ ଥରେ ମକର ଚାଉଳ ଭୋଗ ନୀତି ପରମ୍ପରା କେଉଁ ଆବାହାନ କାଳରୁ ରହିଛି । ତେବେ ମକର ଚାଉଳ ଭୋଗ ପାଇଁ ସାକ୍ଷୀଗୋପାଳ, ଡେଲାଙ୍ଗ, କଣାସ, ପିପିଲି, ନିମାପଡ଼ା, ବଳଙ୍ଗା, ପୁରୀ, ଜଟଣୀ, ନିରାକାରପୁର, ନୟାଗଡ଼ ,ଗୋପ ଆଦି ଅଞ୍ଚଳର ଶ୍ରଦ୍ଧାଳୁ ମକର ସଂକ୍ରାନ୍ତି ଦିନ ସାକ୍ଷୀ ଗୋପିନାଥଙ୍କ ପାଖରେ ମନ୍ଦିରରେ ଭୋଗ ଲଗାଇଥାନ୍ତି ।  

ଦାଶବିଦ୍ୟାଧରପୁର ଅନ୍ତର୍ଗତ ବସନ୍ତପୁର ଗ୍ରାମର ହରି ସାହୁଙ୍କ ଘରୁ ମହାଲକ୍ଷ୍ମୀଙ୍କ ମକର ଭାର ଆସିଥାଏ । ତେବେ ଆଜି ଅପରାହ୍ନରେ ପହଡ଼ ଖୋଲିବା ପରେ ମଦନମୋହନ ଶ୍ରୀମହାଲକ୍ଷ୍ମୀଙ୍କୁ ସେବାୟତ ଗରୁଡ ବଖରାକୁ ବିଜେ କରାଇଥାନ୍ତି । ସେଠାରେ ଆଳତୀ, ଉପଚାର ସ‌ହିତ ଦୁଗ୍ଧ ନବାଙ୍କ ନୀତି କରାଯାଇଥାଏ। ମକର ମାସର ଆଦ୍ୟ ପର୍ବ ଅବସରରେ ଠାକୁରଙ୍କ ନବାଙ୍କ ବେଢ଼ା ପରିକ୍ରମା ଅନୁଷ୍ଠିତ ହେବାପରେ ସାକ୍ଷୀ ଗୋପିନାଥଙ୍କ ପାଖରେ ମକର ନୀତି ଅନୁଷ୍ଠିତ ହୋଇଥାଏ । ପରେ ଭକ୍ତମାନଙ୍କ ମକର ଚାଉଳ ଭୋଗ ଲଗାଇଥାନ୍ତି । ଆଜିର ଦିନରେ ସାକ୍ଷୀ ଗୋପିନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ଏଥିପାଇଁ ସାକ୍ଷୀ ଗୋପିନାଥଙ୍କ ପାଖକୁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.