ବୟସ ହେବାରୁ ରାସ୍ତାରେ ଛାଡ଼ିଦେଲା ମାଲିକ, ଆଶ୍ରମ ପାଲଟିଲା ଘୋଡ଼ାର ନୂଆ ଘର

By ETV Bharat Odisha Team

Published : Aug 23, 2023, 7:02 PM IST

thumbnail

ବାଲେଶ୍ବର: ସତରେ କଣ ଏ ମଣିଷ ସ୍ୱାର୍ଥପର ? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଅନେକ ଉଦାହରଣ ସାମ୍ନାକୁ ଆସିଥାଏ । ଠିକ୍‌ ସେମତି ମଣିଷ ଗୃହପାଳିତ ପଶୁଙ୍କୁ ଭାରି ଆଦର କରିଥାଏ । ହେଲେ ପଶୁଟିର ବୟସ ହୋଇଗଲେ ତାକୁ ପର କରିଦିଏ । ଏହାରି ଭିତରେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ମଣିଷ ପଣିଆ ଏଠି ଧିକ୍କାର କରୁଛି । ରୋଜଗାର ଦେଉଥିବା ଘୋଡ଼ା ଯେତେବେଳେ ଅସୁସ୍ଥ ହୋଇଗଲା ସେତେବେଳେ ମାଲିକ ତାକୁ ପର କରିଦେଲା । ଦିନେ ଏହି ଘୋଡ଼ାକୁ ନେଇ ହଜାର ହଜାର ଟଙ୍କା ରୋଜଗାର କରୁଥିଲା । ଶରୀରରୁ ବଳ ହଟି ଗଲା ପରେ ଘୋଡ଼ାଟିକୁ ରାଜରାସ୍ତାରେ ଛାଡ଼ି ଦେଇ ଚାଲି ଗଲା ନିଷ୍ଠୁର ମାଲିକ । ଏବେ ଘୋଡ଼ାଟି ଏକ ବୃଦ୍ଧା ଆଶ୍ରମରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ଆଶ୍ରମର ରକ୍ଷଣା ବେକ୍ଷଣା ଓ ଯତ୍ନ ନେବାପରେ ଏବେ ଘୋଡ଼ା ସୁସ୍ଥ ହୋଇଗଲାଣି । ଘୋଡ଼ା ବି ନୂଆ ମାଲିକ ଯୋଗୀ ସୁଧାକର ମୁନିଙ୍କୁ ପାଇ ଯାଇଛି । ପୂର୍ବ ମାଲିକ ସିନା ତାକୁ ନେଇ ଅର୍ଥ ଉପାର୍ଜନ କରୁଥିଲା ହେଲେ ନୂଆ ମାଲିକ ଢେର ସାରା ଭଲ ପାଇବା ଦେଇ ଏକ ନୂଆ ସମ୍ପର୍କରେ ବାନ୍ଧି ଦେଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୁଡରେ ଥିବା ଶିବମୁନି ସେବା ସଂଗଠନ ଆଶ୍ରମରେ । ଦୀର୍ଘ ଦିନ ହେବ ଘୋଡ଼ାଟି ସେଠାରେ ରହି ଆସୁଛି । ଏବେ ଘୋଡ଼ାଟି ଖୁସିରେ ଥିବା ବେଳେ ସମସ୍ତଙ୍କ କଥା ବି ମାନୁଛି । ଘୋଡ଼ାଟି ଆଶ୍ରମର ଅନ୍ତେବାସୀଙ୍କ ଭଲ ପାଇବାରେ ବାନ୍ଧି ହୋଇ ଯାଇଛି । ଆଶ୍ରମରେ କାହାରିକୁ ଟିକେ ନଦେଖିଲେ ପାଗଳ ଭଳି ହେଉଛି । ମାଲିକ ସିନା ସ୍ୱାର୍ଥ ହାସଲ ପରେ ପର କରି ଦେଇଛି ହେଲେ ଘୋଡ଼ାର ଯିଏ ଜୀବନ ବଞ୍ଚାଇଛି ତାକୁ ବା ସେ କେମିତି ଭୁଲି ପାରିବ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.