ଟ୍ରେନରେ ବିସ୍ଫୋଟକ ସାମଗ୍ରୀ ନେଉଥିଲେ ସାବଧାନ ! ଭୋଗିବେ ଜେଲ ଦଣ୍ଡ

By ETV Bharat Odisha Team

Published : Nov 18, 2023, 5:01 PM IST

thumbnail

ସମ୍ବଲପୁର: ବିଗତ କିଛି ଦିନ ହେଲା ରେଳ ଦୁର୍ଘଟଣା ପରି ଘଟଣା ଦେଖିବାକୁ ମିଳୁଥିବା ବେଳେ କେତେକ ସ୍ଥଳରେ ଟ୍ରେନରେ ନିଆଁ ଲାଗିଯିବା ଘଟଣା ମଧ୍ୟ ନଜରକୁ ଆସୁଛି l ମୁଖ୍ୟତଃ ରେଳରେ ଏପରି ଅଗ୍ନି ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ସମ୍ବଲପୁର ରେଳ ମଣ୍ଡଳ ତରଫରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଡ୍ରାଇଭ l ଗତକାଲି ସମ୍ବଲପୁର ରେଳମଣ୍ଡଳର ADRM ଆନନ୍ଦ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି l ବର୍ତ୍ତମାନ ଦୀପାବଳୀ ପର୍ବ ଯାଇଥିବା ବେଳେ ଛଟ ପର୍ବର ସମୟ ଆସିଛି l ଏହିଭଳି ସମୟରେ କେତେକ ଲୋକ ଟ୍ରେନରେ ଯାତ୍ରା କରିବା ସମୟରେ ବାଣ, ଫୋଟକା ଆଦି ବିସ୍ପୋରକ ପଦାର୍ଥ ନେଇଥାନ୍ତି l ତେବେ ଏହାଯୋଗୁଁ ଟ୍ରେନରେ ନିଆଁ ଲାଗିବାର ପ୍ରବଳ ସମ୍ଭାବନା ରହିଥାଏ l ତେଣୁ ପୂର୍ବତଟ ରେଳବାଇର ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଡ୍ରାଇଭ ଆରମ୍ଭ ହୋଇଛି l ପ୍ଲାଟଫର୍ମ, ଷ୍ଟେସନ ତଥା ଟ୍ରେନ ଭିତରେ ରେଳବାଇର ବରିଷ୍ଠ ଅଧିକାରୀ ମାନେ ଆର୍ ପି ଏଫ୍ (RPF) ଅଧିକାରୀ, ଜି ଆର୍ ପି (GRP) ପୋଲିସ ସହ ମିଶି ଜୋରଦାର ଚେକିଂ ଜାରି ରଖିଛନ୍ତି l ବର୍ତ୍ତମାନ ଏହି ଚେକିଂ ଡ୍ରାଇଭ ଜାରି ରହିବ l 

ଏହା ମଧ୍ୟ ପଢନ୍ତୁ .... ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ 

ଯାତ୍ରୀ ମାନଙ୍କ ପାଖରେ ବାଣ, କିରୋସିନ, ପେଟ୍ରୋଲ, ରୋଷେଇ ଗ୍ୟାସ ଟ୍ୟାଙ୍କର ପରି ନିଆଁ ଲଗାଉଥିବା ସାମଗ୍ରୀ ଅଛି ନାଁ ନାହିଁ ସେନେଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି l ଏହା ସହ ପ୍ୟାଣ୍ଟ୍ରି ଗୋଦାମ ର ପାର୍ସଲ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି । ଏଥିପାଇଁ ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି l ଟ୍ରେନ ଯାତ୍ରୀ ମାନେ ଏପରି ଜିନିଷ ନ ରଖିବାକୁ ଅଥବା ପାଖରେ ଯଦି କିଏ ଏହିଭଳି ସାମଗ୍ରୀ ରଖିଥିଲେ RPF ଓ GRP ଙ୍କୁ ସୂଚନା ଦେବାକୁ କୁହାଯାଇଛି । ଏଥିପାଇଁ 139 ନମ୍ବରରେ କଲ କରିବାକୁ ପରାମର୍ଶ ଦିଆଯାଇଛି l ଏପରିକି ଟ୍ରେନରେ ବାଣ, ଫୋଟକା ଆଦି ବିସ୍ପୋରକ ପଦାର୍ଥ ଧରିକି ଯାଉଥିବା ଅବସ୍ଥାରେ ଧରାପଡିଲେ ରେଳବାଇ ଆକ୍ଟ ଅନୁସାରେ 3 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ସମ୍ବଲପୁର ରେଳ ମଣ୍ଡଳର ADRM ଆନନ୍ଦ ସିଂ ସୂଚନା ଦେଇଛନ୍ତି। ଏଥିପାଇଁ ଟ୍ରେନ ଯାତ୍ରୀ ମାନଙ୍କୁ ଏହିଭଳି ସାମଗ୍ରୀ ପାଖରେ ନ ରଖିବାକୁ ପରାମର୍ଶ ଦିଆଯାଇଛି l

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.