ଅନ୍ଧାରରେ ଶକ୍ତି ଯୋଗଣକାରୀ ସଂସ୍ଥା, ଟାଟାର ନାହିଁ ପାୱାର - ଟାଟା ଅଫିସ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟବାସୀଙ୍କୁ ବିଦ୍ୟୁତ ଯୋଗାଇବା ଦାୟିତ୍ବ ମୁଣ୍ଡାଇଛି ଘରୋଇ ସଂସ୍ଥା ଟାଟା ପାୱାର । ଲୋକଙ୍କ ଘରକୁ ବିଦ୍ୟୁତ ଯୋଗାଇ ଆଲୋକିତ କରିବା ଟାଟା ପାୱାର କାମ । କିନ୍ତୁ ଦୁର୍ଭାଗ୍ୟର କଥା ଶକ୍ତି ଯୋଗାଣକାରୀ ସଂସ୍ଥା ଟାଟା ପାୱାରକୁ ଶକ୍ତି ସଙ୍କଟ । ଭୁବନେଶ୍ବର ପାୱାର ହାଉସ ଛକରେ ରହିଛି ଟାଟା ପାୱାରର ବିତରଣ ସଂସ୍ଥା ଟିପିସିଓଡିଏଲ୍ର କର୍ପୋରେଟ କାର୍ଯ୍ୟାଳୟ ମଧ୍ୟ ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଛି ।
ଉଦୁଉଦିଆ ଖରାବେଳ । ସମୟ ପ୍ରାୟ ଅପରାହ୍ନ ସାଢ଼େ ଗୋଟେ । ଭୁବନେଶ୍ବର ପାୱାର ହାଉସ ଛକରେ ରହିଛି ଟାଟା ପାୱାରର ବିତରଣ ସଂସ୍ଥା ଟିପିସିଓଡିଏଲ୍ର କର୍ପୋରେଟ କାର୍ଯ୍ୟାଳୟ । କାର୍ଯ୍ୟାଳୟରେ କାର୍ଯ୍ୟ ଚାଲୁଥାଏ । କାର୍ଯ୍ୟାଳୟରେ ବିତରଣ ସଂସ୍ଥା ଟିପିସିଓଡିଏଲ୍ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥାନ୍ତି । ମଧ୍ୟାହ୍ନ ଭୋଜନର ସମୟ ହୋଇଥିବାରୁ କିଛି କର୍ମଚାରୀ ଭୋଜନ କରୁଥାନ୍ତି । ହଠାତ ସବୁଆଡେ ଅନ୍ଧାର ହୋଇଗଲା । କାରଣ ଅବେଳରେ ବିଜୁଳି କାଟ ଯୋଗୁଁ ଚାରିଆଡେ ଅନ୍ଧକାର । ପ୍ରାୟ ୧୦ ମିନିଟ ଧରି କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଥିଲା । ଏମିତି ଅବସ୍ଥା ହୋଇଥିଲା ଯେ, ଗରମ ଯୋଗୁଁ କର୍ମଚାରୀ ମାନେ ଅଫିସ ବାହାରକୁ ବାହାରି ଆସିଥିଲେ ।
ଏହା ବି ପଢନ୍ତୁ-ଟାଟା ପାୱାର ପାଖରେ ମୁଣ୍ଡ ବିକିଛନ୍ତି ରାଜ୍ୟ ସରକାର: ବିଜେପି
ଟାଟା ପାୱାର ହାତକୁ ବିତରଣ ଦାୟିତ୍ବ ଯିବାପରେ ରାଜ୍ୟରେ ବିଜୁଳି କାଟ ବଢ଼ିଥିବା ଅଭିଯୋଗ ହେଉଛି । ରକ୍ଷଣାବେକ୍ଷଣ ଆଳରେ ଅଯଥା ବିଦ୍ୟୁତ କାଟ ହେଉଥିବା ଉପଭୋକ୍ତା ଅଭିଯୋଗ କରୁଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି । ସେହିପରି ରାଜ୍ୟ ସରକାର ନିଯୁକ୍ତିକୁ ଗୁରୁତ୍ବ ଦେଉଥିବା କଥା କହୁଛନ୍ତି । କିନ୍ତୁ ସରକାରଙ୍କ ସହିତ ଚୁକ୍ତିବଦ୍ଧ ସଂସ୍ଥା ନୂଆ ନିଯୁକ୍ତି ବଦଳରେ ଛଟେଇ କରି ଚାଲିଛନ୍ତି । ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ ଯିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । କର୍ମଚାରୀ ହ୍ରାସ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଟାଟା ପାୱାର ହାତକୁ ବିତରଣ ବ୍ୟବସ୍ଥା ଯିବା ସମୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକରେ ୧୧,୫୯୯ କର୍ମଚାରୀ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୧୦ ହଜାରକୁ କମି ଆସିଛି ।
ସାରା ରାଜ୍ୟରେ ଶକ୍ତି ଯୋଗାଉଛି ଟାଟା ପାୱାର । ଟାଟା ପାୱାର ହାତରେ ଥିବା ୪ଟି ବିତରଣ ସଂସ୍ଥା ଟିପିସିଓଡିଏଲ୍, ଟିପିଏନଓଡିଏଲ, ଟିପିଏସଓଡିଏଲରେ ଏବଂ ଟିପିଡବ୍ଲ୍ୟୁଓଡିଏଲ । ଟିପିସିଓଡିଏଲ୍ ଅଧୀନରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ ଏବଂ ଢେଙ୍କାନାଳ । ଟିପିଏନ୍ଓଡିଏଲ୍ ଅଧୀନରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଏବଂ କେନ୍ଦୁଝର । ଟିପିଏସଓଡିଏଲ ଅଧୀନରେ ଅଛି ଗଞ୍ଜାମ, କୋରାପୁଟ, ରାୟଗଡା ଏବଂ ନବରଙ୍ଗପୁର । ଗଜପତି, ବୌଦ୍ଧ ଓ କନ୍ଧମାଳ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଟିପିଡବ୍ଲ୍ୟୁଓଡିଏଲ ଅଧୀନରେ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ । ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟାଳୟରେ ବିଜୁଳି କାଟ ଯୋଗୁଁ ଅନ୍ଧାର ହୋଇଯାଉଥିବାବେଳେ ରାଜ୍ୟର ଅବସ୍ଥା କଣ ହେଉଥିବ ତାହା ଅନୁମାନ ଲାଗଯାଇପାରେ ।
ଇଟିଭି ଭାରତ, ଭୁବନେଶ୍ବର