ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ଦଳା ଚକଟାରେ ଜଣେ ମହିଳା ଭକ୍ତ ଆହତ

By

Published : Mar 15, 2023, 4:45 PM IST

thumbnail

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ଦଳା ଚକଟା ପରିସ୍ଥିତି । ଦଳା ଚକଟାରେ ଜଣେ ମହିଳା ଭକ୍ତ ଆହତ ହୋଇଥିବା ସୂଚନା । ଆଜି ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାରହଜାର ଭକ୍ତଙ୍କ ଭିଡ ଜମିଛି । ତେବେ ପଶ୍ଚିମ ଦ୍ୱାରରେ ଭକ୍ତ ମାନେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଯାଉଥିବା ବେଳେ ଦଳା ଚକଟା ପରିସ୍ଥିତି ଉପୁଜିଥିଲା । ଫଳରେ ଭିଡରେ ଚାପି ହୋଇ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ଏଥିରେ ଜଣେ ବୃଦ୍ଧା ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି ।

ଆଜି ସଂକ୍ରାନ୍ତି ଅବସରରେ ସକାଳ ୯ଟା ୫୦ରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ଶେଷ ହୋଇଥିଲା । ଏହି ନୀତି ପାଇଁ ଦର୍ଶନ ବନ୍ଦ ରହିବାରୁ ଏକ ଘଣ୍ଟାରୁ ଅଧିକ ସମୟ ଧରି ଭକ୍ତ ପଶ୍ଚିମ ଦ୍ୱାର ବ୍ୟାରିକେଡରେ ଲାଇନରେ ଥିଲେ । ନୀତି ଶେଷ ପରେ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବା ପରେ ଲାଇନରେ ଥିବା ଭକ୍ତ ଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ପାଇଁ ଠେଲାପେଲା ହୋଇ ଆଗକୁ ବଢିଥିଲେ । ଫଳରେ ଜଣେ ବୟସ୍କ ମହିଳା ତଳେ ପଡ଼ି ଆହତ ହୋଇଥିଲେ । ହେଲେ ଭିଡ ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପୋଲିସ୍ ମୁତୟନ ନଥିବା ଦେଖିବାକୁ ମିଳିଥିଲା । ଫଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଦଳାଚକଟା ହୋଇଥିଲା । ସେପଟେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ବାରମ୍ବାର ଦଳା ଚକଟା ସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ରୋକି ଅଧିକ ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଅଧିକ ବ୍ୟବସ୍ଥା ହେବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି ।

ତେବେ କେବଳ ଆଜି ସଂକ୍ରାନ୍ତିରେ ନୁହେଁ, ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରକୁ ହଜାରହଜାର ଭକ୍ତ ଆସୁଥିବାବେଳେ ଠେଲାପେଲା ହୋଇ ବହୁ ଭକ୍ତ ଆହତ ହେଉଛନ୍ତି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ପୋଲିସ୍ ସବୁ ବ୍ୟବସ୍ଥା କରିଥିବା ଦାବି କରୁଥିବା ବେଳେ କାହିଁକି ବାରମ୍ବାର ଦଳା ଚକଟା ହେଉଛି, ସେନେଇ ପ୍ରଶ୍ନ ଉଠିଛି । ପଶ୍ଚିମ ଦ୍ଵାର ପ୍ରବେଶ ବେଳେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ପାଇଁ ଯଥେଷ୍ଟ ପୋଲିସ୍ ମୁତୟନ ହେଉନଥିବା ଦେଖିବାକୁ ମିଳୁଛି । ଫଳରେ ଭିଡକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ପୂର୍ବରୁ ବାଇଶି ପାହାଚ ଓ ଗର୍ଭଗୃହ ଭିତରେ ଅସମ୍ଭାଳ ଭିଡ଼ ଯୋଗୁଁ ଅନେକ ଥର ଦଳା ଚକଟା ହେଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲା ବେଳେ ପୋଲିସ୍ ସଚେତନ ନହେବା ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟ କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.