25ବର୍ଷ ପୂର୍ବେ ସିନ୍ଧିଗାଁରେ କିପରି ହୋଇଥିଲା ବୋମାମାଡ଼, କିଏ ଦେଇଥିଲେ ସାକ୍ଷୀ ? ଜାଣନ୍ତୁ... - ୨୨ ଜଣ ଅଭିଯୁକ୍ତଙ୍କ ନାମରେ ଚାଜସିଟ୍
🎬 Watch Now: Feature Video
ବ୍ରହ୍ମପୁର: ସେଦିନ ଥିବା ୧୯୯୮ ମସିହା ଜୁନ ୧୮ ତାରିଖ । ଦିନ ୧୧ ଟା ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଧିଗାଁ ଅଞ୍ଚଳରେ ଟାଟା ପକ୍ଷରୁ ଅଧିକୃତ ଜମିକୁ ସମତଳ କରାଯାଉଥିଲା। ସେହି ସମୟରେ, ହଠାତ୍ ପୋଲିସ ଉପରକୁ ସେଠାରେ ଉପସ୍ଥିତ ବ୍ୟକ୍ତିବିଶେଷମାନେ ବୋମାମାଡ଼ କରିଥିଲେ । ମାଜିଷ୍ଟେଟ ଦାୟିତ୍ୱରେ ଥିବା ତତ୍କାଳୀନ ଉପଜିଲ୍ଲାପାଳ ଗହଳିକୁ ହଟାଇବାକୁ ନିର୍ଦ୍ଦେଶ ଦେବା ସହିତ ତାହା ନହେବାରୁ ପ୍ରଥମେ ରବର ଗୁଳି ମାଡ କରିବା ସହିତ ପରବର୍ତ୍ତୀ ସମୟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଥିଲା ।
ଏହାପରେ ସେଠାରେ ହୋଇଥିବା ବୋମାମାଡ଼ରେ ପୋଲିସ ରିଜର୍ଭ ଇନସପେକ୍ଟର ବିନୋଭା ମେହର ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଏବଂ ପରେ ହାଇଦ୍ରାବାଦର ଆପୋଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ୧୯୯୮ମସିହା ଜୁଲାଇ ୯ ତାରିଖରେ ପୋଲିସ ରିଜର୍ଭ ଇନସପେକ୍ଟରଙ୍କ ମୃତ୍ୟୁ ଘଟିଥିଲା। ସେହି ଦିନ ୨ ଟା ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସିନ୍ଧିଗାଁରେ ଶାନ୍ତିକମିଟି ଗଠନ କରିଥିବାବେଳେ ସେହି ସମୟରେ ପୁଣି ଏକ ବୋମାମାଡ଼ କରାଯାଇଥିଲା। ଫଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଙ୍ଗରକ୍ଷୀ ଦୁଇ ଜଣ ଆହତ ହୋଇଥିଲେ ।
ଏନେଇ ଛତ୍ରପୁର ଥାନାରେ 2ଟି ମାମଲା ରୁଜୁ ହୋଇଥିବାବେଳେ ମୋଟ ୬୫ ଟି ବ୍ୟକ୍ତିବିଶେଷ ଆସି ସାକ୍ଷ ପ୍ରଦାନ କରିଥିଲେ। ଚଳିତ ମାସ ଜୁଲାଇ ୩ ତାରିଖ ଠାରୁ ଜୁଲାଇ -୨୪ ପର୍ଯ୍ୟନ୍ତ ବ୍ରହ୍ମପୁରର ଏଡିଜେ-୩ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ଶେଷ ହେବା ପରେ ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଛି । ଯେଉଁଥିରେ ମୋଟ ୨୨ ଜଣ ଅଭିଯୁକ୍ତଙ୍କ ନାମରେ ଚାଜସିଟ୍ ଦାଖଲ ହୋଇଥିବାବେଳେ ସେଥିରୁ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏହି ଘଟଣାର ରାୟ ପ୍ରକାଶ ପାଇବା ପରେ ଇଟିଭି ଭାରତକୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏହି ମାମଲାର ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢୀ ।
ଇଟିଭି ଭାରତ, ବ୍ରହ୍ମପୁର