ଚାହୁଁ ଚାହୁଁ ଭୁଶୁଡିଲା ୨୦୦ ଫୁଟର ମୋବାଇଲ ଟାୱାର, ଅଳ୍ପକେ ବର୍ତ୍ତିଲେ ୧୧ ଜଣ - ବେଙ୍ଗାଲୁରୁରେ ଭୁଶୁଡିଲା ମୋବାଇଲ ଟାୱାର
🎬 Watch Now: Feature Video
Published : Dec 9, 2023, 8:35 AM IST
ବେଙ୍ଗାଲୁରୁ: ଘର ନିର୍ମାଣ ପାଇଁ ଜେସିବି ଦ୍ବାରା ସଫେଇ ଚାଲୁଥିବା ବେଳେ ଚାହୁଁ ଚାହୁଁ ଭୁଶୁଡି ପଡିଲା ୨୦୦ ଫୁଟର ମୋବାଇଲ ଟାୱାର । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲା ୧୧ ଜୀବନ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ବେଙ୍ଗାଲୁରୁର । ସହରର ପାର୍ବତୀନଗର ଅନ୍ତର୍ଗତ ପ୍ରୀତି ବିହାର ଅଞ୍ଚଳରେ ଥିବା ଏୟାରଟେଲ କମ୍ପାନୀର ଗୋଟିଏ ମୋବାଇଲ ଟାୱାର ଭୁଶୁଡି ଯାଇଛି । ଭାଗ୍ୟବଶତଃ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଯାହା ସୂଚନା ମିଳିଛି, ଟାୱାରଟି ଏକ ଖୋଲା ସ୍ଥାନରେ ରହିଥିଲା । ସେଠାରେ ଘର ନିର୍ମାଣ କରିବାକୁ କେହି ଜଣେ ବ୍ୟକ୍ତି ଜେସିବି ସାହାଯ୍ୟରେ ସଫେଇ କାର୍ଯ୍ୟ କରୁଥିଲେ । ଜେସିବିରେ ମାଟି ଖୋଳା ଯାଉଥିବା ବେଳେ ଏହାକୁ ଲାଗିଥିବା ଥିବା ଉକ୍ତ ଟାୱାରଟି ହଠାତ୍ ଭୁଶୁଡି ପଡିଥିଲା ।
ଏହା ମଧ୍ୟ ପଢନ୍ତୁ: ଭାରତର ପ୍ରଥମ ବୁଲେଟ ଟ୍ରେନ୍ ଟର୍ମିନାଲ; ପ୍ରଥମ ଝଲକ ସେୟାର କଲେ ରେଳମନ୍ତ୍ରୀ
ଏକ ଦୁଇ ମହଲା ବିଲ୍ଡିଂ ଉପରେ ଟାୱାରଟି ଥିଲା । ଅଘଟଣ ସମୟରେ ବିଲ୍ଡିଂ ଭିତରେ ୧୧ ଜଣ ଲୋକ ରହିଥିଲେ । ତେବେ ଟାୱାର ଭୁଶୁଡିବା ଆଶଙ୍କାରେ ମାତ୍ର କିଛି ମିନିଟ୍ ପୂର୍ବରୁ ସେମାନେ ବାହାରକୁ ଚାଲି ଆସିଥିଲେ । ଠିକ୍ ଏହି ସମୟରେ ଚାହୁଁ ଚାହୁଁ ଟାୱାର ତଳକୁ ଖସି ପଡିଥିଲା । ସେଠାରେ ଥିବା କିଛି ଲୋକେ ନିଜ ମୋବାଇଲ ଏହି ଦୃଶ୍ୟ କଏଦ କରିଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଟାୱାରକୁ ଲାଗି ଥିବା ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ସହିତ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଅବହେଳା ଅଭିଯୋଗରେ ଉକ୍ତ ଜାଗାର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ