ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ - DHANU YATRA 2025
🎬 Watch Now: Feature Video
Published : Jan 6, 2025, 8:30 PM IST
ବରଗଡ: ତୃତୀୟ ଦିନରେ ପହଞ୍ଚିଲା ବରଗଡ ଧନୁଯାତ୍ରା । ମଥୁରାରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ତୃତୀୟ ଦିନରେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଥିଲା ମହାରାଜ କଂସଙ୍କୁ । ଏହାପରେ କାରାଗୃହକୁ ପ୍ରବେଶ କରି ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କେଳରୁ ଛଡ଼ାଇଆଣିଥିଲେ । ଦେବକୀ ଓ ବାସୁଦେବ ଶିଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନଥିଲେ କଂସ ମହାରାଜ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଥିଲେ ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ ଦୈବବାଣୀରେ କହିଥିଲେ, ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ ‘ । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି ।
ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ ।
ଏହା ମଧ୍ୟ ପଢନ୍ତୁ-ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025
ଇଟିଭି ଭାରତ, ବରଗଡ