ବୌଦ୍ଧ: ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହିତ ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବୌଦ୍ଧ ମହୋତ୍ସବ ସୋମବାର ରାତିରେ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଛି ।
ବୌଦ୍ଧ ମହୋତ୍ସବ ଉଦଯାପିତ:
ଉଦଯାପିତ ହେଲା ଲୋକକଳାର ମହାକୁମ୍ଭ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ । ପାରମ୍ପରିକ ଲୋକକଳା ସହିତ ବିଭିନ୍ନ ଷ୍ଟଲରେ ହାତ ତିଆରି ସାମଗ୍ରୀର ବେଶ ଚାହିଦା ପରିଲକ୍ଷିତ ହୋଇଥିଲା । ସୋମବାର ଏହି ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଜିଲ୍ଲାର ଐତିହ୍ୟ, କଳା,ସଂସ୍କୃତି ଅତିଥିଙ୍କ ସମେତ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
ବୌଦ୍ଧ ଜିଲ୍ଲା ଗଠନର ୩୧ ବର୍ଷ ପୂର୍ତ୍ତି:
ବୌଦ୍ଧ ଜିଲ୍ଲା ଗଠନର 31 ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଜାନୁଆରୀ ଦୁଇ ତାରିଖରେ ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ । ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଚଳିତ ବର୍ଷ ମଧ୍ୟ ବୌଦ୍ଧ ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଏହା ଉଦଯାପିତ ହୋଇଛି ।


ପାରମ୍ପରିକ ଲୋକକଳାରେ କମ୍ପିଲା ବୌଦ୍ଧ ମହୋତ୍ସବ:
ଚଳିତ ବର୍ଷ ମହୋତ୍ସବ ମଣ୍ଡପକୁ ପଦ୍ମଶ୍ରୀ ସାଧୁ ଚରଣ ମେହେରଙ୍କ ନାମରେ ନାମିତ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ସଂଧ୍ୟାରେ ମହୋତ୍ସବ ମଣ୍ଡପରେ ପାରମ୍ପରିକ ଲୋକକଳା ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାଏକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଜିଲ୍ଲାର ଐତିହ୍ୟ, କଳା ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ । ମହୋତ୍ସବର ଉଦଯାପନୀ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଦଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ସେହିପରି ପଲ୍ଲିଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହାତ ତିଆରି ସାମଗ୍ରୀ, ବିଶେଷ ଭାବରେ ବୌଦ୍ଧ ଅଞ୍ଚଳର ପ୍ରସିଦ୍ଧ ବାନ୍ଧ ଶାଢୀ ପାଇଁ ଗ୍ରାହକ ଓ ପର୍ଯ୍ୟଟକଙ୍କ ବେଶ ଆଗ୍ରହ ପରିଲକ୍ଷିତ ହୋଇଥିଲା ।


ଏହାମଧ୍ୟ ପଢନ୍ତୁ... ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ' ଆୟୋଜିତ ସରିଲା ଝାରସୁଗୁଡ଼ା ଦୁଲଦୁଲି ମହୋତ୍ସବ |
ମାଟି ତିଆରି ଜିନିଷର ରହିଛି ବେଶ୍ ଚାହିଦା:
ଏହି ଅବସରରେ ଜଣେ ପର୍ଯ୍ୟଟକ କହିଛନ୍ତି,"ଏହି ମହୋତ୍ସବରେ ମିଳୁଥିବା ହାତ ତିଆରି ମାଟିର ଜିନିଷ ବେଶ ଭଲ ହୋଇଛି । ଏହି ଜିନିଷ ବାହାରେ ବହୁତ ଟଙ୍କାରେ ମିଳୁଥିବା ବେଳେ ଏହା ହାତ ତିଆରି ଜିନିଷ ଭଲ ଦରରେ ମିଳୁଛି । ଏହାକୁ କିଣିବାକୁ ପ୍ରତିଦିନ ଭିଡ ଜମୁଛି । ମାଟି ତିଆରି ତଥା ହାତ ତିଆରି ଜିନିଷ ବିକ୍ରି କରିବାକୁ ବୌଦ୍ଧ ମହୋତ୍ସବ ଏକ ନୂତନ ପ୍ଲାଟଫର୍ମ ସାଜିଛି ।"
ଇଟିଭି ଭାରତ, ବୌଦ୍ଧ