ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲିଠୁ ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେଉଛି ।ହେଲେ ଚିନ୍ତା ବଢାଉଛି HMPV ଭାଇରସ୍ । ବିଜେଡି କହିଲା ନିଜସ୍ବ ଗାଇଡ୍ ଲାଇନ ଆଣନ୍ତୁ ସରକାର । ସେପଟେ ଏହି ଭାଇରସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉଚ୍ଚସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।
'ଓଡିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି':
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,"ଏନେଇ ଆଜି ବିଭିନ୍ନ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେମିତି କିଛି ପ୍ରଭାବ ପଡ଼ିନା ନାହିଁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏହି ଭାଇରସ୍ ପାଇଁ । ଭାରତ ସରକାର ଯାହା ଗାଇଡଲାଇନ ଦେବେ ତାହା ମାନିବୁ । ଥଣ୍ଡା,କାଶ ହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଆମେ ସାମ୍ପୁଲ ଟେଷ୍ଟ କରିବୁ । ଆଇସିଇଆର, ଆଇଏଲଏସ, ଏମ୍ସ ସାମ୍ପୁଲ ଟେଷ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି । ସବୁ ହସ୍ପିଟାଲ ଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । "
ପ୍ରବାସୀ ଭାରତୀୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ସେ ଆହୁରି ମଧ୍ୟ କହିଛନ୍ତି," ପ୍ରବାସୀ ଭାରତୀୟ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ପହଞ୍ଚିବାକୁ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜନତା ମୈଦାନ ହେଉ କି ହୋଟେଲ ଯେଉଁଠି ବି କାହାର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଯାାଏ ।ତାହାଲେ ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । "
ଏପରି କହିଲା ବିଜେଡି:
ରାଜ୍ୟରେ ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ଆସନ୍ତାକାଲିଠୁ ଆରମ୍ଭ ହେଉଛି । ରାଜ୍ୟ ପାଇଁ ଏହା ଏକ ଗୌରବର କଥା । ପ୍ରବାସୀ ଭାରତୀୟ ଦିବସ ହେଉ କି ଡିଜି ସମ୍ମିଳନୀ, ବିଗତ ବର୍ଷରେ ଓଡିଶା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଯେଉଁଥିପାଇଁ ଏଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହୋଇପାରୁଛି । ଏହି ଭିତ୍ତିଭୂମିର ବିକାଶ ଓ ଓଡିଶାକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି । ଏହା କହିଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଏଚଏମପିଭି ଭାଇରସ ଚିହ୍ନଟ ହେବା ପରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
'ନିଜସ୍ବ ଗାଇଡଲାଇନ ଆଣନ୍ତୁ ରାଜ୍ୟ ସରକାର':
ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି,"ସମ୍ପ୍ରତି ଏଚଏମପିଭି ଭାଇରସ ଦେଶର ୪ଟି ରାଜ୍ୟରେ ଚିହ୍ନଟ ହୋଇଛି । ଏହାର ପ୍ରଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଏ ନେଇ ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ରର ନିର୍ଦ୍ଦେଶାବଳୀ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଲୋକମାନଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଅପେକ୍ଷା କରିଛନ୍ତି । ଅପେକ୍ଷା ନକରି ବିଶେଷଜ୍ଞଙ୍କ ମତ ନିଅନ୍ତୁ ଏବଂ ରାଜ୍ୟ ସରକାର ନିଜସ୍ବ ଗାଇଡଲାଇନ ଜାରି କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ପାଖରେ ଆମେ ଦାବି ଜଣାଉଛୁ ।"
ସେ ଆହୁରି ମଧ୍ୟ କହିଛନ୍ତି,"ବିଶେଷକରି ରାଜ୍ୟରେ ଏବେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ଯେଉଁଥିରେ ଦେଶ ବିଦେଶରୁ ଅନେକ ଅତିଥି ଏଠାକୁ ଆସିବେ । ଅତିଥି ଦେବୋ ଭବ ଆମ ସଂସ୍କୃତିର ଅଙ୍ଗ ହୋଇଥିଲା ବେଳେ ଅତିଥିମାନଙ୍କୁ ଚର୍ଚ୍ଚା ପାଇଁ ଆମ ରାଜ୍ୟ ପାଇଁ ସୁଯୋଗ ରହିଛି । ଏଚଏମପିଭି ଭାଇରସ ଦେଶରେ ଆବିର୍ଭାବ ହୋଇଥିବା ବେଳେ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେଉଥିବାରୁ ସରକାର ଆବଶ୍ୟକୀୟ ସତର୍କତା ଅବଲମ୍ୱନ କରିବାର ଆବଶ୍ୟକତା ଅଛି । କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଅପେକ୍ଷା ନକରି ବିଶେଷଜ୍ଞଙ୍କ ମତ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରନ୍ତୁ । ଯାହାଦ୍ୱାରା ପ୍ରବାସୀ ଭାରତୀୟ ଦିବସ ସୁରୁଖୁରୁରେ ହେବା ସହିତ ରାଜ୍ୟବାସୀଙ୍କ ମନରୁ ଆଶଙ୍କା ଦୂର ହେବ । ତେଣୁ ଦଳ ତରଫରୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ।"
ଇଟିଭି ଭାରତ, ଭୁବନେଶ୍ବର