କଟକ: ବିବାହ ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ପରବର୍ତ୍ତୀ ସମୟରେ ଜୋର ଜବରଦସ୍ତ ଗର୍ଭପାତ କରାଇବା ଘଟଣାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି । ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଜାମିନରେ ଥିବା ତଥା ଘଟଣାକୁ ଇତିମଧ୍ୟରେ ଦୀର୍ଘ ୩୩ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ପ୍ରସଙ୍ଗ ବିଚାରକୁ ନେଇ ହାଇକାର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ପିଓ ଆଇନରେ ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ:
ଆବେଦନକାରୀଙ୍କୁ ପ୍ରୋବେସନ୍ ଅଫ୍ ଅଫେଣ୍ଡର୍ସ (ପିଓ) ଆଇନ, ୧୯୫୮ରେ ଥିବା ବ୍ୟବସ୍ଥା ଅଧୀନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ନିମ୍ନ ଅଦାଲତରେ ହାଜର ହେବେ । ଏହାପରେ ପିଓ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଆବେଦନକାରୀଙ୍କୁ ଛାଡ଼ିବାକୁ ନିମ୍ନ ଅଦାଲତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ନିମ୍ନ ଅଦାଲତଙ୍କ ୧୯୯୩, ଫେବୃଆରୀ ୧୨ର ରାୟ ବିରୋଧରେ ୧୯୯୩ରେ ଦାୟର ଅପିଲର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୋଳଗୋବିନ୍ଦ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ପୁରା ମାମଲା କଣ ?
ବିବାହ କରିବେ କହି ଆବେଦନକାରୀ ଜଣେ ୧୩ ବର୍ଷୀୟା ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ । ଏନେଇ ପୀଡିତାଙ୍କ ବାପା ଆନନ୍ଦପୁର ଏସଡିଜେଏମ ଅଦାଲତରେ ୧୯୯୧ରେ ଅଭିଯୋଗ ଦାୟର କରିଥିଲେ । ପରେ ଆନନ୍ଦପୁର ସହକାରୀ ଦୌରା ଜଜ୍ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ୧୯୯୨, ଫେବୃଆରୀ ୧୨ରେ ଅଦାଲତ ରାୟ ପ୍ରକାଶ କରି ଆଇପିସିର ଦଫା ୩୧୩ ଓ ୪୯୩ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ । ସହକାରୀ ଦୌରା ଜଜ ଅଦାଲତଙ୍କ ରାୟ ବିରୋଧରେ ଆବେଦନକାରୀ ୧୯୯୩, ଫେବୃଆରୀ ୨୨ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।


ମାମଲା ବିଚାରାଧୀନ ଥିବା ବେଳେ ୧୯୯୩, ଅଗଷ୍ଟ ୩ରେ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଇତିମଧ୍ୟରେ ୩୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି ଓ ଆବେଦନକାରୀ ଜାମିନର କୌଣସି ସର୍ତ୍ତ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ନାହିଁ । ତେବେ ତଥ୍ୟ ପ୍ରମାଣ ଦୃଷ୍ଟିରୁ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶରେ ହାଇକୋର୍ଟ ହସ୍ତକ୍ଷେପ କରି ନଥିଲେ ମଧ୍ୟ ଆବେଦନକାରୀଙ୍କୁ ଏବେ ୬୩ ବର୍ଷ ବୟସ ପ୍ରସଙ୍ଗକୁ ବିଚାରକୁ ନେଇ ପିଓ ଆଇନରେ ଥିବା ବ୍ୟବସ୍ଥାରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ