ନାବାଳକକୁ ବଳି ସନ୍ଦେହରେ ଉତ୍ତେଜନା: ପୋଲିସ ଗାଡ଼ି ଜାଳିଦେଲେ ଲୋକେ - boy sacrifice in angul
🎬 Watch Now: Feature Video
ଅନୁଗୋଳ/ବୌଦ୍ଧ: କିଆକଟା ଥାନା ଅଞ୍ଚଳରେ ନରବଳି ସନ୍ଦେହ । ଜଣେ ନାବାଳକକୁ ମଙ୍ଗଳା କୋଠିର ପୂଜକ ବଳି ଦେଇଥିବା ଅଭିଯୋଗ ହୋଇଛି । ଘଟଣାର 7 ଦିନ ପରେ ଗତକାଲି ମିଳିଛି ଖଣ୍ଡ ବିଖଣ୍ଡିତ ମୃତଦେହ । ବାରିଣୀ ଛକ ନିକଟ ଜଙ୍ଗଲରେ ଏକ ଗଛ ଡାଳରେ ଗଣ୍ଡି ବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା। ଏପରିକି ଉତ୍ୟକ୍ତ ଲୋକେ ପୋଲିସର ଗାଡି ଜାଳିଦେଇଥିବା ଦେଖିବାକୁ ମିଳିଛି । ପୋଲିସର ଅସହଯୋଗ କାରଣରୁ ଏଭଳି ଘଟଣା ଘଟିଥିବା ନେଇ ଲୋକଙ୍କ କ୍ଷୋଭ ପ୍ରକାଶ ପାଇଛି ।
ଏହା ବି ପଢନ୍ତୁ...ଭିନ୍ନକ୍ଷମ ନାବାଳିକାଙ୍କୁ ଗଳାକାଟି ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ
ସୂଚନା ଅନୁସାରେ, ପୁଅର ଦେହ ଭଲ ନ ହେବାରୁ ଟୁସର ଗାଁ ମଙ୍ଗଳା କୋଠିକୁ ବାସନ୍ତୀ ବିଶ୍ୱାଳଙ୍କ ସହ ଯାଇଥିଲା 13 ବର୍ଷର ପୁଅ ସଂଜୀବ ବିଶ୍ୱାଳ । ସେମାନେ କିଆକଟା ଥାନା ସୁବର୍ଣ୍ଣପୁର ଗାଁର ହୋଇଥିବା ଜଣାପଡିଛି । ତେବେ13 ବର୍ଷର ବାଳକ ସଂଜୀବକୁ ମଙ୍ଗଳା କୋଠିର ପୂଜକ ବଳି ଦେଇଥିବା ଅଭିଯୋଗ ହୋଇଛି । ଘଟଣାର 7 ଦିନ ପରେ ଗତକାଲି(ଶୁକ୍ରବାର) ମିଳିଛି ଖଣ୍ଡ ବିଖଣ୍ଡିତ ମୃତଦେହ । ବାରିଣୀ ଛକ ନିକଟରେ ଥିବା ଜଙ୍ଗଲରେ ଏକ ଗଛ ଡାଳରେ ଏହି ମୃତଦେହକୁ ଦେଖିବାକୁ ପାଇଥିଲେ ଗ୍ରାମବାସୀ ।
କୌଣସି ଏକ ଗୁପ୍ତ ଧନ ଖଜଣା କିମ୍ବା ସୁନା ହଣ୍ଡା ପାଇଁ ଏଭଳି ନରବଳୀ ହୋଇଥିବା ଚର୍ଚ୍ଚା ହେଉଛି । ଶୁକ୍ରବାର ଦିନ ଓ ରାତିରେ ମଧ୍ୟ ଏହି ରାସ୍ତା ଅବରୋଧ ଜାରି ରହିଥିବା ବେଳେ ଫରେନସିକ ଟିମ୍ ଜଙ୍ଗଲ ଭିତରକୁ ଚାଲି ଚାଲି ଆସି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ମଙ୍ଗଳା କୁଠୀଘରର ପୂଜାର୍ଚ୍ଚନା କରୁଥିବା ମହିଳା ତାନ୍ତ୍ରିକ ଓ ତାଙ୍କ ପୁଅକୁ ହେପାଜତକୁ ନେଇ ଏକ ଅଜଣା ସ୍ଥାନରେ ରଖିଥିବା ବେଳେ ଏଭଳି ନାରକୀୟ ଘଟଣା ପଛରେ ଅନେକ ରହସ୍ୟ ଥିବା ଅଭିଯୋଗ ହୋଇଛି । ମୃତ ନାବାଳକଙ୍କ ପରିବାର ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଦାବି କରିଛି । ଅନ୍ୟ ଜଣେ ବ୍ୟକ୍ତି ଗତ ପ୍ରାୟ ପାଞ୍ଚ ବର୍ଷ ତଳେ ନିଜ ଝିଅକୁ ଏଭଳି ଅପହରଣ ପରେ ନରବଳୀ ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଏଭଳି କୁତ୍ସିତ ନରବଳୀ ସମ୍ପର୍କରେ ଅନେକ ଫର୍ଦ୍ଦ ଖୋଲା ପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ, ବୌଦ୍ଧ