ସରିଲା ଶୀତଳଷଷ୍ଠୀ, ଧୁମଧାମରେ ଚାଲିଛି ମେଲଣ ଉତ୍ସବ - ବ୍ରହ୍ମପୁରରେ ମେଲଣ ଉତ୍ସବ ଅନୁଷ୍ଠିତ
🎬 Watch Now: Feature Video
ବ୍ରହ୍ମପୁର: ଶୀତଳ ଷଷ୍ଠୀ ଯାତ୍ରା ପରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି ମେଲଣ ଉତ୍ସବ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ପୁରୁଣା ବ୍ରହ୍ମପୁରର ସମଗ୍ର ଅଞ୍ଚଳ । ମେଲଣ ଉତ୍ସବରେ ସହରର ନୀଳକଣ୍ଠନଗର ସ୍ଥିତ ପ୍ରସିଦ୍ଧ ନୀଳକଣ୍ଠେଶ୍ୱର, ଚନ୍ଦ୍ରଶେଖର ସାହିର ଚନ୍ଦ୍ରଶେଖରେଶ୍ୱର, ଆଇନାବନ୍ଧ ସାହିର ଗଙ୍ଗାଧରେଶ୍ୱର, ମାର୍ଥାସାହିର କାଶୀବିଶ୍ୱନାଥ, କୁମ୍ଭାର ସାହିର ମଲ୍ଲିକେଶ୍ୱର ମହାଦେବଙ୍କ ସମେତ ଛଅ ମନ୍ଦିରରୁ ସୁସଜ୍ଜିତ ରଥରେ ମହାଦେବଙ୍କ ମନ୍ଦିରରୁ ରଥ ପହଞ୍ଚିବା ପରେ ମେଲଣ ଆୟୋଜିତ ହୋଇଥାଏ । ବ୍ରହ୍ମପୁର ସହରରେ କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ମହାଦେବଙ୍କ ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି । ମେଲଣ ଶୋଭାଯାତ୍ରାରେ ବାଜା ପଟୁଆର ସାଙ୍ଗକୁ ବିଭିନ୍ନ ନୃତ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୁହାଯାଏ, ମହୁରୀ ରାଜାଙ୍କ ରାଜସ୍ୱ କାଳରେ ପ୍ରଥମେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଚନ୍ଦ୍ରଶେଖରେଶ୍ୱର ମହାଦେବ ମନ୍ଦିର ସ୍ଥାପନ କରି ଏହି ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା ।
ମୁଖ୍ୟତଃ ସହରର ନୀଳକଣ୍ଠେଶ୍ୱର ଓ ଚନ୍ଦ୍ରଶେଖରେଶ୍ୱରଙ୍କୁ ବିବାହର ଗୋଟିଏ ଦିନ ପରେ ଦେବଦମ୍ପତିଙ୍କୁ ଏକ ରଥରେ ଖାସ୍ପା ସାହି ସ୍ଥିତ ବଡଜଗନ୍ନାଥ ମନ୍ଦିରକୁ ଅଣାଯାଇ ଆଳତୀ କରାଯାଇଥାଏ । ପରେ ସୁସଜ୍ଜିତ ରଥରେ ଶିବପାର୍ବତୀଙ୍କୁ ନେଇ ପରିକ୍ରମା କରାଯାଇଥାଏ । ଏହି ରଥ ବଡବଜାର ରାଜା ସାହି ଦେଇ ମହୁରୀ ରାଜବାଟୀକୁ ଯିବା ସହିତ ସେଠାରେ ପୂଜାର୍ଚ୍ଚନା ପରେ ହନୁମାନ ବଜାର ଠାରେ ମହାଦେବ ସୁସଜ୍ଜିତ ରଥ ଉପରେ ରାତ୍ରୀଯାପନ କରିଥାନ୍ତି । ଏହି ସମୟରେ ବଡବଜାର ଅଞ୍ଚଳର ଅନ୍ୟ ଶୈବ ପୀଠରୁ ମହାଦେବଙ୍କୁ ନେଇ ରଥ ପହଞ୍ଚିଥାଏ ମେଲଣ ସ୍ଥାନରେ । ମେଲଣ ଶେଷ ପରେ ବିଭିନ୍ନ ସାହିରେ ରହିଥିବା ମନ୍ଦିରରେ ହରିହର ଭେଟ କରାଯାଇ ହର ପାର୍ବତୀଙ୍କୁ ପୁଣି ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଥାଏ ।
ଇଟିଭି ଭାରତ, ବ୍ରହ୍ମପୁର