ୱାଶିଂଟନ: ଜାନେଟ୍ ପେଟ୍ରୋ ପ୍ରଥମ ମହିଳା ଭାବରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କାମଚଳା ପ୍ରଶାସିକା ଭାବରେ ନେତୃତ୍ବ ନେଉଛନ୍ତି । ତାଙ୍କ ନିଯୁକ୍ତି ସ୍ପେଶ୍ ଏଜେନ୍ସି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଛି କାରଣ 1958ରୁ କାର୍ଯ୍ୟକ୍ଷମ ଥିବା ଏଜେନ୍ସିର ଜଣେ ମହିଳା ନେତୃତ୍ବ ନେବାକୁ ଯାଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପେଟ୍ରୋଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ସିନେଟ୍ ଦ୍ବାରା ଜଣେ ନୂତନ ପ୍ରଶାସକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବଜେଟ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଲାଗି ପ୍ରଥମ ମହିଳା ଭାବେ ଏଜେନ୍ସିର ନେତୃତ୍ବ ନେବେ ପେଟ୍ରୋ ।
NASAର ଐତିହାସିକ ନିଯୁକ୍ତି
ଏହି ନିଯୁକ୍ତି ନାସା ଇତିହାସରେ ପ୍ରଥମ । କାରଣ 1958ରୁ ନାସା ପ୍ରତିଷ୍ଠା ଲାଭ କରିବା ପରେ କୌଣସି ଜଣେ ହେଲେ ମହିଳା ଏହାର ନେତୃତ୍ବ ନେଇନଥିଲେ । ବିଲ୍ ନେଲସନ୍ଙ୍କ ପରେ ପେଟ୍ରୋ 14ତମ ନାସା ପ୍ରଶାସିକା ଭାବେ ଦାୟିତ୍ବ ଗ୍ରହଣ କରିବେ । ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ସେ କାମଚଳା ପ୍ରଶାସିକା ଭାବେ ନାସାର ବିଭିନ୍ନ କାର୍ଯ୍ୟକ୍ରମ ଓ ବଜେଟ୍ ଆଦିର ନେତୃତ୍ବ ନେବେ । ନାସାକୁ ପ୍ରତିନିଧିତ୍ବ କରୁଥିବାରୁ ଗର୍ବିତ ବୋଲି କହିଛନ୍ତି ପେଟ୍ରୋ ।
କିଏ ଜାନେଟ୍ ପେଟ୍ରୋ ?
ଜାନେଟ୍ ପେଟ୍ରୋ ହେଉଛନ୍ତି ଜଣେ ଆମେରିକୀୟ ଇଞ୍ଜିନିଅର ଓ ସରକାରୀ କର୍ମଚାରୀ । ସେ ଏବେ ନାସାର କାମଚଳା ପ୍ରଶାସିକା ଭାବେ ଦାୟିତ୍ବ ତୁଲାଉଛନ୍ତି । ତାଙ୍କ ନାଁରେ ଆଉ ଏକ ବିରଳ ରେକର୍ଡ ହେଉଛି ସେ ପ୍ରଥମ ମହିଳା ଯିଏକି ଜୁନ 2021ରେ ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟର (Kennedy Space Center)ର ନେତୃତ୍ବ ନେଇଥିଲେ । ଏହାର ମାତ୍ର ସାଢେ 4 ବର୍ଷ ପରେ ସେ ପ୍ରଥମ ମହିଳା ଭାବେ ନାସାର ନେତୃତ୍ବ ନେଇଛନ୍ତି ।
ପ୍ରାରମ୍ଭିକ ଜୀବନ
- ପିଲାଟି ଦିନରୁ ଜାନେଟ୍ ପେଟ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ବେଶ ଆଗ୍ରହୀ ଥିଲେ । 1962 ମସିହାରେ କେନେଡି ସ୍ପେଶ ସେଣ୍ଟର (KSC) ପ୍ରତିଷ୍ଠା ହୋଇଥିବା ବେଳେ ସମାନ ବର୍ଷ ପେଟ୍ରୋଙ୍କ ପିତା ସ୍ପେଶ ପ୍ରୋଗ୍ରାମ ଲାଗି ନାସା ସହିତ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କ ପରିବାର ଫ୍ଲୋରିଡାରେ ବାସ କରିବା ଆରମ୍ଭ କଲେ । ସେ ତାଙ୍କ ଜୀବନୀରେ ଲେଖିଛନ୍ତି,"ଉକ୍ତ ସମୟ ସମ୍ପର୍କରେ ମୁଁ ସଠିକ ଭାବେ ମନେ ପକାଇ ପାରୁନାହିଁ । କିନ୍ତୁ ଏହା ମୋର ମନେ ଅଛି ଯେ ସେହି ସମୟରେ ମୁଁ ବହୁତ ଉତ୍ସାହିତ ହୋଇପଡ଼ିଥିଲି କାରଣ ମୁଁ ଓ ମୋର ଭାଇଭଉଣୀ ସମୁଦ୍ରକୂଳରେ ମର୍କୁରୀ, ଜେମିନି ଓ ଆପୋଲୋ ରକେଟ୍ର ଉତକ୍ଷେପଣ ଦେଖିଥିଲୁ ।"
- "1969 ଜୁଲାଇରେ ମୁଁ, ମୋ ପରିବାର ଓ ଆମେରିକା ଆଚମ୍ବିତ ହୋଇପଡ଼ିଥିଲା ଯେତେବେଳେ ଆମେ ଟିଭିରେ ନିଲ ଆମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରପୃଷ୍ଠରେ ଐତିହାସିକ ୱାକ୍ କରିବା ଦେଖିଥିଲୁ । ଏହି ସମୟରେ ମୁଁ ଅନୁଭବ କରିଥିଲି ଯେ ଏହି ପ୍ରୋଗ୍ରାମର ସଫଳତା ମଧ୍ୟରେ ମୋର ପିତାଙ୍କ ଭୂମିକା ମଧ୍ୟ ଥିଲା । ଯାହାକି ମୋତେ ବହୁ ଗର୍ବିତ କରିଥିବା ବେଳେ ମୋ ଜୀବନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥିଲା", ଜୀବନୀରେ ପୁରୁଣା ଦିନକୁ ସ୍ମରଣ କରି ଏପରି ଲେଖିଛନ୍ତି ପେଟ୍ରୋ ।
- ପ୍ରାଥମିକ ଶିକ୍ଷା ଗ୍ରହଣ ସମୟରେ ଦେଶର ମିଲିଟାରୀ ଏକାଡେମୀ ମହିଳାଙ୍କୁ ଭର୍ତ୍ତି କରିବା ଆରମ୍ଭ କରିଥିଲା । ପେଟ୍ରୋ ଜଣେ ଆଥଲେଟ୍ ଥିଲେ ଓ ତାଙ୍କ ନିକଟରେ ଭଲ ଗ୍ରେଡ୍ ମଧ୍ୟ ଥିଲା । ଏଥିଲାଗି ସେ ପିତାମାତାଙ୍କ ଦ୍ବାରା ଉତ୍ସାହିତ ହୋଇ ମିଲିଟାରୀ ଏକାଡେମୀରେ ଆବେଦନ କରିଥିଲେ । ଏହାପରେ 1981 ବ୍ୟାଚ୍ରେ ଭର୍ତ୍ତି ହୋଇଥିଲେ । ମାତ୍ର 17 ବର୍ଷ ବୟସରେ ସେ ୱେଷ୍ଟ ପଏଣ୍ଟରେ ଆମେରିକାର ମିଲିଟାରୀ ଏକାଡେମୀରେ ନେତୃତ୍ବ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ।
- ଏହାପରେ ସେ ଆମେରିକା ସେନା ବାହିନୀରେ ଯୋଗଦାନ କରିଥିଲେ । ଭର୍ଜିନିଆର ନିଉପୋର୍ଟ ସ୍ଥିତ ଆମେରିକା ସେନା କ୍ୟାମ୍ପ ଫୋର୍ଟ Eustisରେ ବେସିକ୍ କୋର୍ସ ଓ ପରେ ଅଲାବାମା ସ୍ଥିତ ଫୋର୍ଟ ରକରଠାରେ ହେଲିକପ୍ଟର ତାଲିମ ନେଇଥିଲେ । ସେନାରେ ଥିବା ବେଳେ ସେ ଅଧିକାଂଶ ସମୟ ହେଲିକପ୍ଟର ଚଲାଉଥିବା ବେଳେ ଜର୍ମାନୀ ଲାଗି ସେବା ପ୍ରଦାନ କରୁଥିଲେ ।
- ଆମେରିକା ସେନାରେ 5ବର୍ଷ ସେବା ପ୍ରଦାନ କରିବା ପରେ ସେ ବାସ୍ତବରେ ଯାହା ହେବାକୁ ଚାହୁଁଛନ୍ତି ତାହା ମନସ୍ଥ କରି ଇଞ୍ଜିନିଅର ପାଠ ପଢିଥିଲେ । ଇଞ୍ଜିନିଅର ହେବା ପରେ ସେ ଅନେକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିଛନ୍ତି ।
ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତି
ଇଞ୍ଜିନିଅରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ 1981ରେ ୱେଷ୍ଟ ପଏଣ୍ଟରେ ଆମେରିକା ମିଲିଟାରୀ ଏକାଡେମୀରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଆମେରିକା ସେନାରେ ଜଣେ କମିଶନଡ୍ ଅଫିସର ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପେଟ୍ରୋ ବଷ୍ଟନ୍ ୟୁନିଭର୍ସିଟିର ମେଟ୍ରୋପଲିଟାନ୍ କଲେଜରୁ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି ।
ଅଭିଜ୍ଞତା
- ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରର 11ତମ ନିର୍ଦ୍ଦେଶିକା ଭାବେ ସେ ଦାୟିତ୍ବ ତୁଲାଇଛନ୍ତି । ଏଠାରେ ସେ କେନେଡି ଟିମର ସିଭିଲ ସର୍ଭିସକୁ ପରିଚାଳନା କରିବା, କେନ୍ଦ୍ରର ନୀତି ନିର୍ଣ୍ଣୟ ଏବଂ କାର୍ଯ୍ୟକାରୀ କରିବା, କେନେଡି ମିଶନଗୁଡ଼ିକର ପରିଚାଳାନ ଓ କାର୍ଯ୍ୟକାରୀ ଏବଂ ଏଜେନ୍ସି ପ୍ରୋଗ୍ରାମର ନେତୃତ୍ବ ନେବା ଭଳି କାର୍ଯ୍ୟ କରୁଥିଲେ । ନିର୍ଦ୍ଦେଶିକା ହେବା ପୂର୍ବରୁ ସେ କେନେଡିର ଡେପୁଟି ଡିରେକ୍ଟର ଓ କାମଚଳା ନିର୍ଦ୍ଦେଶିକା ମଧ୍ୟ ଥିଲେ ।
- ୱାଶିଂଟନ ଡିସିରେ ଥିବା ନାସା ମୁଖ୍ୟାଳୟରେ ସେ 12ମାସ ଲାଗି ଡେପୁଟି ସହକାରୀ ପ୍ରଶାସିକା ଓ କାମଚଳା ନିର୍ଦ୍ଦେଶିକା ଭାବେ ଦାୟିତ୍ବ ତୁଲାଇଛନ୍ତି ।
- 2017ରୁ ଜାନୁଆରୀ 2020 ପର୍ଯ୍ୟନ୍ତ ନାସାର ବିଭିନ୍ନ ପ୍ରୋଗ୍ରାମରେ କାମ କରିଛନ୍ତି । ଜାନୁଆରୀ 2020ରେ ତାଙ୍କୁ ଦିଆଯାଇଥିବା ମିଶନ ସମର୍ଥନ ଭବିଷ୍ୟତ ସ୍ଥାପତ୍ୟ କାର୍ଯ୍ୟକ୍ରମ (MAP) କାମ ଶେଷ ହୋଇଥିଲା ।
- ନାସାରେ କାମ କରିବା ପୂର୍ବରୁ ପେଟ୍ରୋ ଆମେରିକାର ଅନେକ ଟେକ୍ନୋଲୋଜି କମ୍ପାନୀ ଯେପରିକି ସାଇନ୍ସ ଆପ୍ଲିକେସନ ଇଣ୍ଟରନ୍ୟାସନାଲ କର୍ପୋରେସନ, ମ୍ୟାକଡୋନେଲ୍ ଡୋଗ୍ଲାସ ଏରୋସ୍ପେଶ କର୍ପୋରେସନ ବ୍ୟତୀତ ଆମେରିକା ନୌସେନା, ଆମେରିକା ବାୟୁସେନାର କାମ କରି ଅଭିଜ୍ଞତା ହାସଲ କରିଥିଲେ ।
ପୁରସ୍କାର
ପେଟ୍ରୋ ନିଜ ବୃତ୍ତିଗତ ଜୀବନକାଳରେ ସେବା ଓ ଦକ୍ଷତା ଲାଗି ଅନେକ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ 2022ରେ ନ୍ୟାସନାଲ ସ୍ପେଶ କ୍ଲବ ଫ୍ଲୋରିଡା କମିଟି ପକ୍ଷରୁ Dr Kurt H. Debus ଆୱାର୍ଡ ବିଜୟିନୀ ହୋଇଥିଲେ । ଫ୍ଲାଇଟ୍ ସେଫ୍ଟି ଓ ମିଶନ ସଫଳତାରେ ତାଙ୍କ ଯୋଗଦାନ ଲାଗି ସେ Silver Snoopy ଆୱାର୍ଡ ମଧ୍ୟ ପାଇଛନ୍ତି । ଏହାବାଦ 2018ରେ ସେ ଫ୍ଲୋରିଡା ୱିମେନ୍ସ ହଲ୍ ଅଫ୍ ଫେମ୍ ସମ୍ମାନରେ ସମ୍ମାନିତ ହୋଇଥିଲେ ।