ପ୍ରୟାଗରାଜ(ୟୁପି): ମୌନୀ ଅମାବାସ୍ୟା ଅବସରରେ ବ୍ରହ୍ମ ମୁହୂର୍ତ୍ତରେ ଅମୃତ ସ୍ନାନ କରିବାର ମାତ୍ରାଧିକ ବ୍ୟଗ୍ରତା ହିଁ ଅଘଟଣ କାରଣ । ମହାକୁମ୍ଭ ଦଳାଚକଟାରେ ମୃତ୍ୟୁସଂଖ୍ୟା 30ରେ ପହଞ୍ଚିଛି । ପ୍ରାୟ 60ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଆହତଙ୍କ ମାଗଣା ଚିକିତ୍ସା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ଆଧ୍ୟାତ୍ମିକତାର ମହାକୁମ୍ଭରେ ଏହି ଅଭାବନୀୟ ଘଟଣା ପାଇଁ ସାରା ଦେଶରେ ଶୋକ ପ୍ରକାଶ ପାଇଛି ।
- ବାରିକେଡ ଭାଙ୍ଗିବାରୁ ଦଳାଚକଟା:-
ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘‘ରାତି 1ଟା ରୁ 2ଟା ମଧ୍ୟରେ ଏହି ଅଘଟଣ ଘଟିଛି । ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହେବା ପୂର୍ବରୁ ସଙ୍ଗମର ଆଖଡା ସ୍ଥଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସମସ୍ତେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ପାଇଁ ଇଚ୍ଛୁକ ଥିବାରୁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ସେତିକିବେଳେ ଗୋଟିଏ ପାର୍ଶ୍ବର ବାରିକେଡ ଭାଙ୍ଗି ଯାଇଥିଲା । ଫଳରେ ନଦୀକୂଳରେ ସ୍ନାନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଉପରେ ଅନିୟନ୍ତ୍ରିତ ଭିଡ ମାଡିଯାଇଥିଲା । ଦଳାଚକଟା ଆରମ୍ଭ ହେବା ମାତ୍ରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଧାଇଁଥିଲେ, ଫଳରେ ସ୍ଥିତି ଆହୁରି ନିୟନ୍ତ୍ରଣ ବାହାରକୁ ଚାଲିଗଲା ।’’
- ମୃତକଙ୍କ ପରିଚୟ ଚିହ୍ନଟ ପ୍ରକ୍ରିୟା ଜାରି
ଡିଆଇଜି କ୍ରିଷ୍ଣା ଆହୁରି ମଧ୍ୟ କହିଛନ୍ତି,‘‘ପୋଲିସ ଓ ଅନ୍ୟ ସମସ୍ତ ଜରୁରୀ ସେବାର ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା 30ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ 25 ଜଣଙ୍କ ପରିଚୟ ମିଳିସାରିଛି । ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଉଛି । ଅନ୍ୟ 5 ଜଣଙ୍କ ପରିଚୟ ଚିହ୍ନଟ ଜାରି ରଖିଛି ପୋଲିସ୍ । ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି ।
प्रयागराज महाकुंभ में हुआ हादसा अत्यंत दुखद है। इसमें जिन श्रद्धालुओं ने अपने परिजनों को खोया है, उनके प्रति मेरी गहरी संवेदनाएं। इसके साथ ही मैं सभी घायलों के शीघ्र स्वस्थ होने की कामना करता हूं। स्थानीय प्रशासन पीड़ितों की हरसंभव मदद में जुटा हुआ है। इस सिलसिले में मैंने…
— Narendra Modi (@narendramodi) January 29, 2025
- ମୋଦି ଓ ଯୋଗୀଙ୍କ ଶୋକ ବ୍ୟକ୍ତ
ମଧ୍ୟରାତ୍ରିରେ ଅଘଟଣ ପରେ ଯୁଦ୍ଧକାଳୀନ ଭିତ୍ତିରେ କିଛି ଘଣ୍ଟା ମଧ୍ୟରେ ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା । ତୁରନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ବିଳମ୍ବରେ ସ୍ନାନ ପାଇଁ ନିବେଦନ କରିଥିଲେ । ଅମୃତ ସ୍ନାନ ପାଇଁ ସନ୍ଥମାନଙ୍କୁ କିଛି ସମୟ ବିଳମ୍ବ କରିବା ସହ ସାଧାରଣ ଭକ୍ତ ତ୍ରିବେଣୀ ସଙ୍ଗମ ପରିବର୍ତ୍ତେ ଗଙ୍ଗାନଦୀର ଯେକୌଣସି ନିକଟବର୍ତ୍ତୀ ଘାଟରେ ବୁଡ ପକାଇବା ନିବେଦନ କରିଥିଲେ ଯୋଗୀ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ବିଟ୍ କରି ଶୋକବ୍ୟକ୍ତ କରିବା ସହ ମୁଖ୍ଯମନ୍ତ୍ରୀ ଯୋଗୀଙ୍କ ସହ ଫୋନ ଯୋଗେ କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଅଧାରେ ଅଟକିଲା ମହାକୁମ୍ଭ ସାହି ସ୍ନାନ, ଜାଣନ୍ତୁ ଦଳାଚକଟା କାରଣ ଏହା ବି ପଢନ୍ତୁ...ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ |
- ନିକଟରେ ଲାଗିଥିଲା ନିଆଁ
ଆଜି ସଙ୍ଗମସ୍ଥଳରେ ପ୍ରଥମ ଅଘଟଣ ଘଟିନାହିଁ, ବରଂ ଏହା ପୂର୍ବରୁ ମଧ୍ୟ ସେଠାରେ ଏକ ବଡ ଅଘଟଣ ଅଳ୍ପକେ ଟଳିଥିଲା । 19 ତାରିଖରେ ସେକ୍ଟର-19 ଅଞ୍ଚଳରେ ଥିବା ସନ୍ଥଙ୍କ ଅସ୍ଥାୟୀ ଆଖଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ବହୁ ଟେଣ୍ଟ ଜଳି ପୋଡି ନଷ୍ଟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଆୟତ୍ତ କରିଥିବା ବେଳେ କେହି ମୃତାହତ ହୋଇନଥିବା ଖବର ସମଗ୍ର ଦେଶକୁ ଆଶ୍ବସ୍ତ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ