thumbnail

କାମ ସମ୍ପୂର୍ଣ ନକରି ଟୋଲ ପ୍ଲାଜାରେ ଅର୍ଥ ଆଦାୟ, ରାସ୍ତା ଅବରୋଧ କଲା JMM

By

Published : May 4, 2023, 12:44 PM IST

ରାଇରଙ୍ଗପୁର: ଜାରି ରହିଛି ମୟୂରଭଞ୍ଜ ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ । କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଝାରପୋଖରିଆ ଟୋଲ ପ୍ଲାଜାରେ ଅର୍ଥ ଆଦାୟ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ଜାତୀୟ ରାଜପଥ ଅବରୋଧ କରିଥିଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ଶେଷରେ ଟୋଲ ଗେଟକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି । 

ମିଳିଥିବା ସୂଚନା ଅନୁଯାୟୀ, ୪୯ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି । ଏକ ଓଭର ବ୍ରିଜ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିବା ବେଳେ କିଛି ମାସ ପୂର୍ବରୁ ଏକ ଟ୍ରକ୍ ସେହି ଓଭର ବ୍ରିଜ ଦେଇ ଯାଉଥିବା ବେଳେ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା । ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ବେଳେ ଚାଳକ ଜଣକ ମୃତ୍ୟୁ ବରଣ କରିଥିଲେ । ରାସ୍ତା କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଥିବା ଉକ୍ତ ସ୍ଥାନରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥର ଅଧିକାରୀଙ୍କ ଭୁଲ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ଟୋଲ ପ୍ଲାଜାରେ ଅର୍ଥ ଆଦାୟ ସମ୍ପୂର୍ଣ୍ଣ ରୂପେ ଭୁଲ ବୋଲି ଅଭିଯୋଗ ହୋଇଛି । 

ତେଣୁ ଜାତୀୟ ରାଜପଥ ଅବରୋଧ କରି ଟୋଲ ଗେଟ ବନ୍ଦ କରିବା ସହ ରାସ୍ତା ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି ସେ ପର୍ଯ୍ୟନ୍ତ ଟୋଲ ଗେଟ ନଖୋଲିବା ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏହାକୁ ବିରୋଧ କରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଗତକାଲି ସକାଳୁ ଝାରପୋଖରିଆ ବନ୍ଦ ଡାକରା ଦିଆଯାଇଥିଲା । ପରେ ଟୋଲଗେଟକୁ ବନ୍ଦ କରାଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.