thumbnail

ବିଦାୟ ନେଲେ ମାଆ; ଶାନ୍ତି ଶୃଙ୍ଖଳାରେ ଢେଙ୍କାନାଳରେ ଭସାଣ ଉତ୍ସବ ସମ୍ପନ୍ନ

By ETV Bharat Odisha Team

Published : Nov 9, 2023, 1:30 PM IST

Updated : Nov 9, 2023, 1:40 PM IST

ଢେଙ୍କାନାଳ: କୁମାର ପୂର୍ଣ୍ଣିମାଠାରୁ ଚାଲିଥିବା ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଉତ୍ସବ ବେଶ୍ ଆନନ୍ଦ ଉଲ୍ଲାସ ସହକାରେ ଶେଷ ହୋଇଯାଇଛି । ବୁଧବାର ଢେଙ୍କାନାଳରୁ ମେଲାଣି ନେଇଛନ୍ତି ମା' ।  ଧୁମଧାମରେ ମାଆଙ୍କ ଭସାଣି ଉତ୍ସବ ପାଳନ କରିଛନ୍ତି ସହରବାସୀ । ସମସ୍ତ ୩୮ଗୋଟି ମଣ୍ଡପରୁ ମା'ଙ୍କୁ ପୂର୍ବ ନିର୍ଦ୍ଧାରିତ ପୋଖରୀରେ ବିସର୍ଜନ ଦିଆଯାଇଛି । ଗତ ରାତି ୧୦ଟା ୪୫ ମିନିଟରେ ପ୍ରଥମ ମୀନା ବଜାର ମେଢ଼ କାଠଶଙ୍ଖଠାରେ ବିସର୍ଜନ ହୋଇଥିଲା । ପରେ ପରେ ଜବହାର ଚୌକ ସମେତ ୨୭ ମେଢ଼ କାଠଶଙ୍ଖରେ ବିସର୍ଜନ କରିଛନ୍ତି । ସେହିପରି ଗୁଡିଆନାଳୀ, କୁଞ୍ଜକାନ୍ତ, ବସଷ୍ଟାଣ୍ଡ, କଲେଜ ବଜାର ଓ ଦୁର୍ଗା ବଜାର ମେଢ଼ କୁଞ୍ଜକାନ୍ତ ପୋଖରୀରେ ବିସର୍ଜନ ହୋଇଛି  ।

ଏହାମଧ୍ୟ ପଢନ୍ତୁ: ଧରାଧାମରୁ ଧନଦାତ୍ରୀଙ୍କୁ ମେଲାଣି, ପୁଣି ଆରବର୍ଷକୁ ଅପେକ୍ଷା

ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପରିଚାଚାଳନା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭସାଣ ଶୋଭାଯାତ୍ରାରେ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ବିଭିନ୍ନ କିସମର ପାରମ୍ପରିକ ବାଦ୍ୟଯନ୍ତ୍ର, ନୃତ୍ୟ ଓ ସଙ୍ଗୀତ ଆଦି ଦଳମାନଙ୍କୁ ସାମିଲ କରାଯାଇଥିଲା ।  ପାରମ୍ପରିକ ଆଦିବାସୀ ନୃତ୍ୟ, କଳସ ନୃତ୍ୟ ସାଙ୍ଗକୁ ଘଣ୍ଟୁଆ, ମାଦଲ ଆଦି ପାରମ୍ପରିକ ବାଦ୍ୟଯନ୍ତ୍ରରେ କମ୍ପିଥିଲା ସାରା ସହର । ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ଆସାମ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କୋଲକାତା ଆଦି ବିଭିନ୍ନ ରାଜ୍ୟର ଲୋକବାଦ୍ୟ ଓ ଲୋକନୃତ୍ୟ ସାଙ୍ଗକୁ ଅତ୍ୟାଧୁନିକ ବାଜା ଇତ୍ୟାଦି ମଧ୍ୟ ସାମିଲ ହୋଇଥିଲେ । ଆନନ୍ଦ ବଜାର, କାରିଗର ସାହି, ବାଜି ଚୌକ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଆଘୋରି ବାବା, ଶିବ ତାଣ୍ଡବ ଓ ମାଶାଣୀ ଶିବ ଆଦି ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା । ଏହି ଭସାଣି ଉତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରାସ୍ତାର ଦୁଇ ପାର୍ଶ୍ବରେ ଛିଡା ହୋଇ ମାଆ ଧନଦାତ୍ରୀଙ୍କ ଦର୍ଶନ କରି ମେଲାଣି ଦେଇଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ବାଜା, ନୃତ୍ୟ ସଙ୍ଗୀତର ତାଳେ ତାଳେ ମସଗୁଲ ହୋଇ ଉଠିଥିଲେ ।  

ଇଟିଭି ଭାରତ, ଢେଙ୍କାନାଳ

Last Updated : Nov 9, 2023, 1:40 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.