ନବଜାତ ଶିଶୁଙ୍କ ଶରୀର ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତାଙ୍କର ଇମ୍ୟୁନିଟି ମଧ୍ୟ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ଏହି କାରଣରୁ ପିଲାଙ୍କୁ ଅଧିକ ଜ୍ବର ଆଶଙ୍କା ରହିଥାଏ । ଜ୍ବର ଏକ ସାଧାରଣ ସଙ୍କେତ ହୋଇଥାଏ କି ଶିଶୁକୁ କୌଣସି ସଂକ୍ରମଣ ହୋଇଛି । ଏମିତିରେ ଯଦି ଠିକ୍ ଭାବେ ଶିଶୁର ଯତ୍ନ ନ ନିଆଯାଏ ତେବେ ଏହି ସମସ୍ୟା ଅତି ଗମ୍ଭୀର ହୋଇପାରେ । ନବଜାତ ଶିଶୁଙ୍କୁ ଜ୍ବର ହେଲେ ବେଳେବେଳେ ଆମେ ଅଜଣାତରେ କିଛି ଭୁଲ୍ କରିଥାଉ । ଏହାଦ୍ବାରା ପିଲାର ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡିପାରେ ।
ଆସନ୍ତୁ ଜାଣିବା ନବଜାତ ଶିଶୁ ସ୍ବାସ୍ଥ୍ୟ ସହ ଜଡିତ କେଉଁ ଭୁଲ୍ କରିବାରୁ ବାପାମାଆ ଦୂରେଇ ରହିବା ଉଚିତ୍
1. ଜ୍ବରକୁ ସାଧାରଣ ଭାବିବା
ନବଜାତ ଶିଶୁକୁ ଜ୍ବର ହୋଇଥିଲେ ଅନେକ ବାପାମାଆ ଏହାକୁ ହାଲୁକା ଭାବେ ନେଇଥାନ୍ତି । କିଛି ସମୟ ପରେ ଆପେ ଭଲ ହୋଇଯିବ ଭାବି ଅବହେଳା କରନ୍ତି । ଯାହା ଆପଣଙ୍କ ଶିଶୁ ପ୍ରତି ଅତି ବିପଜ୍ଜନକ ହୋଇପାରେ । ବିଶେଷକରି ଯଦି ଶିଶୁ 3 ମାସରୁ କମ୍ ଏବଂ ଶରୀରରେ ତାପାମାତ୍ରା 100.4 ଡିଗ୍ରୀରୁ ଅଧିକ ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଜ୍ବର କିଛି ଗୁରୁତର ରୋଗର ସଙ୍କେତ ମଧ୍ୟ ହୋଇପାରେ ଯେପରି- ମେନିନଜାଇଟିସ୍ କିମ୍ବା ସେପ୍ସିସ୍ । ନବଜାତ ଶିଶୁକୁ ଜ୍ବର ହେଲେ ଆଦୌ ଅଣଦେଖା ନକରି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ।
2. ଘରୋଇ ଉପଚାର ଉପରେ ନିର୍ଭର କରିବା
ଘରୋଇ ଉପଚାର ଉପରେ ନିର୍ଭର କରିବା ବେଳେବେଳେ ଅତି ବିପଜ୍ଜନକ ହୋଇପାରେ । ଖାସ୍ କରି ନବଜାତ ଶିଶୁଙ୍କ କ୍ଷେତ୍ରରେ । ସବୁବେଳେ ଘରେ କରାଯାଉଥିବା ଉପଚାର ପ୍ରଭାବଶାଳୀ ହୋଇନଥାଏ । ଏହାଦ୍ବାରା ଶିଶୁର ସ୍ବାସ୍ଥ୍ୟ ଅଧିକ ବିଗିଡିଯାଇପାରେ । ସେମାନଙ୍କ ଶରୀର ଖୁବ୍ ସମ୍ବେଦନଶୀଳ ହୋଇଥିବାରୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଘରୋଇ ଉପଚାର କରନ୍ତୁ ନାହିଁ ।
3. ବିନା ଡାକ୍ତରୀ ପରାମର୍ଶରେ ଔଷଧ ଦେବା:
ଛୋଟ ଶିଶୁଙ୍କୁ ଜ୍ବର ହେଲା କେତେକ ବାପାମାଆ ବିନା ଡାକ୍ତରଙ୍କ ପରାମର୍ଶରେ ପାଖ ମେଡିସିନ ଷ୍ଟୋରରୁ ମେଡିସନ ଆଣି ଦେଇଥାନ୍ତି । ଏପରି ଆଦୌ କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ହିଁ ନବଜାତ ଶିଶୁକୁ କୌଣସି ଔଷଧ ଦେବା ଜରୁରୀ । କିଛି ପେନକିଲର କିମ୍ବା ଜ୍ବର ଛଡାଇବା ଔଷଧ ଶିଶୁଙ୍କ ପାଇଁ ଘାତକ ହୋଇପାରେ । ଡାକ୍ତରଙ୍କ ପରାମର୍ଶରେ ହିଁ ପିଲାର ଚିକିତ୍ସା କରାନ୍ତୁ ।
4. ଶିଶୁକୁ ଅଧିକ ପୋଷାକ ପିନ୍ଧାଇବା
ସମସ୍ତଙ୍କ ମନରେ ଧାରଣା ଅଛି, ପିଲାଙ୍କୁ ଜ୍ବର ହେଲେ ଶରୀରକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଧିକ ପୋଷାକ ପିନ୍ଧାଇବା ଉଚିତ୍ । ହେଲେ ଏପରି କରିବା ଶିଶୁର ସ୍ବାସ୍ଥ୍ୟବସ୍ଥା ବିଗାଡିପାରେ । ଜ୍ବର ସମୟରେ ଶିଶୁର ଶରୀର ଅଧିକ ଗରମ ହୋଇପାରେ । ତେଣୁ ଅଧିକ ପୋଷାକ ପିନ୍ଧାଇବା ଦ୍ବାରା ଶରୀର ଆହୁରି ଗରମ ହୋଇଥାଏ । ଏହାଯୋଗୁଁ ସ୍ବାସ୍ଥ୍ୟ ଆହୁରି ଖରାପ ହୋଇପାରେ । ତେଣୁ ପିଲାଙ୍କୁ ହାଲୁକା ଓ ଆରାମଦାୟକ ପୋଷାକ ପିନ୍ଧାଇବା ଉଚିତ୍ । ରୁମ୍ର ତାପମାତ୍ରା ମଧ୍ୟ ସାମାନ୍ୟ ରଖିବା ଉଚିତ୍ ।
5. ଶିଶୁକୁ ସ୍ତନ୍ୟ ନ କରାଇବା
ଜ୍ବର ହେଲେ ଶିଶୁ ସାମାନ୍ୟରୁ କମ୍ କ୍ଷୀର ପିଇଥାଏ । ଏହି ସମୟରେ ଅନେକ ମାଆ ଛୁଆଙ୍କୁ ଅଧିକ କ୍ଷୀର ପିଆଇବାକୁ ଚେଷ୍ଟା କରିନଥାନ୍ତି । ସେମିତି ଛାଡି ଦିଅନ୍ତି । ଯାହାକି ଆଦୌ ଅନୁଚିତ୍ । କାରଣ ଜ୍ବର ସମୟରେ ଶିଶୁକୁ ହାଇଡ୍ରେଟେଡ ରଖିବା ଅତ୍ୟନ୍ତ ଜରୁରୀ । ଯଦି ଶିଶୁ ପର୍ଯ୍ୟାପ୍ତ ମାତ୍ରାରେ କ୍ଷୀର ନ ପିଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ପିଲାଙ୍କୁ ଉଚିତ୍ ମାତ୍ରାରେ ତରଳ ପଦାର୍ଥ ଦିଅନ୍ତୁ ।
ନବଜାତ ଶିଶୁକୁ ଜ୍ବର ହେଲା ଏହାକୁ ଆଦୌ ହାଲୁକା ଭାବେ ନିଅନ୍ତୁ ନାହିଁ । ଏଥିପାଇଁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଆବଶ୍ୟକ । ବିଶେଷକରି ନବଜାତ ଶିଶୁଙ୍କୁ ଜ୍ବର ହେଲେ ଉପରୋକ୍ତ 5ଟି ଭୁଲ୍ କରିବା ଅନୁଚିତ୍ । କାରଣ ଏହା ଶିଶୁର ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ।
Ref- https://www.stanfordchildrens.org/en/topic/default?id=fever-in-a-newborn-90-P02662