ଆଜି ଚାନ୍ଦ ଦର୍ଶନ ପରେ ଆସନ୍ତାକାଲି ପାଳନ ହେବ ଇଦ୍‌ - ଶନିବାର ପାଳନ ହେବ ଇଦ ଉଲ୍ ଫିତର

🎬 Watch Now: Feature Video

thumbnail

By

Published : Apr 21, 2023, 10:07 PM IST

କଟକ: ଆସନ୍ତାକାଲି ପାଳନ ହେବ ଇଦ୍‌ । ଶୁକ୍ରବାର ଚାନ୍ଦ ଦେଖାଯିବା ପରେ ଶନିବାର ପାଳନ ହେବ ଇଦ ଉଲ୍ ଫିତର । କଟକସ୍ଥିତ ଅନଜୁମାନ ଇସଲାମିଆ ଅହଲେ ସୁନତ ଓ ଜମାତ ତଥା ଚାନ୍ଦ କମିଟିର ବୈଠକ ପରେ ଏହି ସୂଚନା ଦିଆଯାଇଛି । ସମଗ୍ର ରାଜ୍ୟରେ ଆସନ୍ତାକାଲି ଇଦ୍‌ ପାଳନ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପବିତ୍ର ରମଜାନ ମାସର ଆଜି ଥିଲା ୨୯ ତମ ଦିନ । କଟକରେ କୋହଲା ପାଗ ଥିବାରୁ ଅନ୍ୟ ଜିଲ୍ଲାରେ ଚାନ୍ଦ ଦେଖା ଯିବାନେଇ ଖବର ଆସିଲା । ଏହା ପରେ ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍ ପାଳନ କରିବା ପାଇଁ ଅନଜୁମାନ ଇସଲାମିଆ ଅହଲେ ସୁନତ ଓ ଜମାତ ତଥା ଚାନ୍ଦ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌ ଉଲ ଫିତର । କଟକରେ ଥିବା ପ୍ରମୁଖ ମସଜିଦ ଯେପରି କଦମ-ଏ-ରସୁଲ, ଇଦଗା, ବଡ଼ି ମସଜିଦ, ଛୋଟି ମସଜିଦ, ପଲଟନ ମସଜିଦ ଓ ଜାମା ମସଜିଦ ଆଦିରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ପବିତ୍ର ଦିନ ପାଇଁ ଆସନ୍ତାକାଲି କଟକରେ ସବୁଆଡେ ରହିବ ଉତ୍ସବର ମାହୋଲ । ପବିତ୍ର ରାମଜାନ ମାସର ଆଜି ହେଉଛି ଶେଷ ଶୁକ୍ରବାର ନମାଜ । ତେଣୁ କଟକ ସହରର ବିଭିନ୍ନ ମସଜିଦରେ ଆଜି ହଜାର ହଜାର ସଂଖ୍ୟାରେ ମୁସଲମାନ ଭାଇମାନେ ନମାଜ ପାଠ କରିଛନ୍ତି । ବିଶ୍ବାସ ରହିଛି ଯେ, ଯଦି କୌଣସି କାରଣରୁ ରମଜାନ ମାସରେ କେହି ନମାଜ ପାଠ କରିନଥାନ୍ତି, ତେବେ ଆଜି ଶୁକ୍ରବାର ମସଜିଦରେ ନମାଜ ପାଠ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏଥି ସହିତ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ମୁସଲମାନ ଭାଇ ମାନେ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ମଙ୍ଗଳ କାମନା ସହିତ ସହରରେ ଭାଇଚାରା ପରମ୍ପରା ଯେପରି ଅତୁଟ ରହିବ, ସେନେଇ ଦୁଆ କରିଛନ୍ତି । ଆଜି ସନ୍ଧ୍ୟାରେ ଇଦ୍‌ ପର୍ବ ପାଇଁ ଚାନ୍ଦ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ଚାନ୍ଦ ଦର୍ଶନ ପରେ ଆନୁଷ୍ଠାନିକ ଭାବରେ ଆସନ୍ତାକାଲି ପର୍ବ ପାଳନ ନେଇ ଘୋଷଣା କରାଯାଇଛି । ତେବେ ଏହି ପର୍ବକୁ ଗୋଟିଏ ମାସ ଧରି ଚାହିଁ ରହିଥାନ୍ତି ମୁସଲିମ ଭାଇ ଓ ଭଉଣୀ । କାରଣ ଏହା ହେଉଛି ଏକ ପବିତ୍ର ପର୍ବ । ଯେଉଁଥିରେ ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ ଓ ଭଲ ପାଇବା ବାଣ୍ଟିଥାନ୍ତି ସମସ୍ତେ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.