ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ - ମାଆ ଭୈରବୀ ବୌଦ୍ଧ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 15, 2023, 11:06 PM IST
ବୌଦ୍ଧ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ନବରାତ୍ରୀ ପୂଜା ଉତ୍ସବ ଆରମ୍ଭ ହୋଇଛି । ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣା କଟକ ସ୍ଥିତ ମା' ଭୈରବୀଙ୍କ ପୀଠ ସମେତ ଅନ୍ୟାନ୍ୟ ଶକ୍ତି ପୀଠରେ ଶାରଦୀୟ ଷୋଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ସାରିଥିବା ବେଳେ ଆଜି ଠାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ମା'ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ ଓ ମହିମା ଧର୍ମ ଭଳି ପାଞ୍ଚ ଧର୍ମର ମିଳନସ୍ଥଳି ବୌଦ୍ଧ ଜିଲ୍ଲାରେ ଶାକ୍ତ ଉପାସନା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି । ଜିଲ୍ଲାର ମା' ଭୈରବୀଙ୍କ ପୀଠରେ ଶାରଦୀୟ ଷୋଳପୂଜା ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇ ସାରିଛି । ଅତ୍ୟନ୍ତ ଗୋପନୀୟ ଶୈଳୀରେ ଦେବୀ ଭୈରବୀଙ୍କ ପୂଜାର୍ଚ୍ଚନା ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାଧାରଣ ଭକ୍ତଙ୍କ ମନ୍ଦିର ପ୍ରବେଶ ତଥା ଦେବୀ ଭୈରବୀଙ୍କ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଥାଏ । ସେହିପରି ବାମଣ୍ଡା, ବଉଳସିଙ୍ଗା, ପଦରପଡା, ଭାଲିଆପଦର, ବୀରନରସିଂହପୁର ଠାରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ମାହେଶ୍ୱରୀ ଦେବୀଙ୍କ ପୀଠରେ ଶାରଦୀୟ ଷୋଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ, ଚଳଚଞ୍ଚଳ ଝାରସୁଗୁଡା
ବିଶେଷ ଭାବରେ ଗଡ଼ଜାତ ଶାସନ କାଳରେ ବୌଦ୍ଧ ରାଜବାଟୀ ପରିସରରେ ଥିବା ଦେବୀ ଦୁର୍ଗାଙ୍କ ପୀଠରେ ଶାରଦୀୟ ଷୋଳପୂଜା ଅତ୍ୟନ୍ତ ଆନନ୍ଦରେ ପାଳନ ହେଉଥିବା ବେଳେ ଦେଶ ସ୍ବାଧୀନ ପରେ ଏଥିରେ ବ୍ୟତିକ୍ରମ ଘଟିଥିଲା । ତେଣୁ ଦେବୀଙ୍କ ଘଟ ଓ ପାଟ ଖଣ୍ଡାକୁ ବୌଦ୍ଧ ସହରର ମାଳିସାହି ଠାରେ ସ୍ଥାପନ କରି ନବରାତ୍ରୀରେ ପୂଜାର୍ଚ୍ଚନା କରାଯାଉଛି । ଆଜି ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହିତ ମାଳିସାହି ଓ ରଘୁନାଥ ମନ୍ଦିର ଠାରେ ନବରାତ୍ରି ପୂଜା ଆରମ୍ଭ ହୋଇଛି ।
ଇଟିଭି ଭାରତ, ବୌଦ୍ଧ