ରେଶମ ସହରର ଜମୁଛି ଜାଗର ଯାତ୍ରା, ବିନା କଟକଣାରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

By

Published : Feb 18, 2023, 6:06 PM IST

thumbnail

ବ୍ରହ୍ମପୁର: ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ସକାଳୁ ସକାଳୁ ସମସ୍ତ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଲୋକାରଣ୍ୟରେ ପରିଣତ ହୋଇଛି ରେଶମ ସହର ବ୍ରହ୍ମପୁର ସହରର ବିଭିନ୍ନ ଶୈବପୀଠ । ଏହି କ୍ରମରେ ସହରର ନୀଳକଣ୍ଠେଶ୍ଵର ମନ୍ଦିରରେ ମଧ୍ୟ ପ୍ରବଳ ଭିଡ଼ ଜମୁଛି । ନିଜ ପରିଜନଙ୍କ ସହ ଆସି ନୀଳକଣ୍ଠେଶ୍ଵରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । 

ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ବଡି ଭୋର 4ଟାରୁ ମନ୍ଦିର ଦ୍ବାର ଖୋଲା ଯାଇଥିଲା । ମଙ୍ଗଳ ଆଳତୀ ପରେ ମହାଦେବଙ୍କ ମହାଭିଷେକ ହୋଇଥିଲା । ଏହାପରେ ଭୋର 5ଟା ସମୟରୁ ଆରମ୍ଭ ହୋଇଥିଲା ଭକ୍ତଙ୍କ ଦର୍ଶନ । ଧାଡ଼ି ମଧ୍ୟରେ ଯାଇ ଶୃଙ୍ଖଳାର ସହ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସନ୍ଧ୍ୟା 6.15ରୁ ଜାଗର ପାଇଁ ଦୀପ ପ୍ରଜ୍ଜ୍ବଳନ ହୋଇ ମଧ୍ୟରାତ୍ରୀ 1.10 ମିନିଟ ସମୟରେ ମହାଦୀପ ଉଠିବ । ଦୁଇ ଘଣ୍ଟା ସମୟ ମଧ୍ୟରେ ମହାଦୀପ, ଅଭିଷେକ ଓ ବେଢା ପରିକ୍ରମା ନୀତି ସମ୍ପର୍ଣ୍ଣ ହେବ ବୋଲି ନୀଳକଣ୍ଠେଶ୍ଵର ମନ୍ଦିର ପୂଜକ ସୂଚନା ଦେଇଛନ୍ତି । ବ୍ରହ୍ମପୁର ସହରର ଅତ୍ୟନ୍ତ ପୁରାତନ ଶୈବପୀଠ ଭାବରେ ନୀଳକଣ୍ଠେଶ୍ଵର ମନ୍ଦିର ପରିଚିତ । ଶ୍ରଦ୍ଧାର ସହ ବାବାଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । 

ଏହା ମଧ୍ୟ ପଢ଼ନ୍ତୁ: ମହାଶିବରାତ୍ରୀ: ଚଳଚଞ୍ଚଳ ଶୈବପୀଠ, ବିନା କଟକଣାରେ ଜାଗର ଜାଳିବେ ଭକ୍ତ

ମହାଶିବରାତ୍ରୀ ଅବସରରେ ସହରର ସମସ୍ତ ଶୈବପୀଠରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ପୋଲିସ ପ୍ରଶାସନ ଏବଂ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଠାରୁ ଆରମ୍ଭ କରି ମଧ୍ୟରାତ୍ରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପାଦନ ହେବ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଦର୍ଶନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଭକ୍ତ । ନୀଳକଣ୍ଠେଶ୍ଵର ମନ୍ଦିରରେ ନଟରାଜ ମହୋତ୍ସବ ଆୟୋଜନ କରାଯାଇଛି । ଶିବରାତ୍ରୀ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିର, ରାମଲିଙ୍ଗେଶ୍ବର ମନ୍ଦିର, କମାପଲ୍ଲୀ ସ୍ଥିତ ବୈଦ୍ୟନାଥେଶ୍ବର, କୋର୍ଟପେଟା ସ୍ଥିତ ଶିବ ମନ୍ଦିର ସମେତ ସହରର ବହୁ ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.