thumbnail

By

Published : Feb 1, 2023, 9:21 PM IST

Updated : Feb 3, 2023, 8:39 PM IST

ETV Bharat / Videos

Budget 2023: ବଜେଟ ନେଇ ନବୀନଙ୍କ ମିଶ୍ର ପ୍ରତିକ୍ରିୟା; ଆୟୁଷ୍ମାନ ଭାରତକୁ ନେଇ ଭୁଆଁ ବୁଲାଇବା ବନ୍ଦ କରୁ ବିଜେପି

ଭୁବନେଶ୍ୱର: ଆସିଲା 2023-24 କେନ୍ଦ୍ରୀୟ ଆର୍ଥିକ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ 2023-24 ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2023-24 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟ ବିଜେପପିର ନେତାମାନେ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ କ୍ୟାପିଟାଲ ଇଣ୍ଟରେଷ୍ଟ ବୃଦ୍ଧି, ପାନୀୟ ଜଳ, ଗ୍ରାମ୍ୟ ଗୃହ ନିର୍ମାଣ ବୃଦ୍ଧି ହୋଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ମିଲେଟ ମିଶନକୁ ନେଇ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଛନ୍ତି । କେନ୍ଦ୍ର ସରକାର ମିଲେଟକୁ ବଜେଟରେ ସ୍ଥାନ ଦେଇଥିବାରୁ ମୁଁ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ ଟେକ୍ନୋଲୋଜିକୁ ଫୋକସ କରାଯାଇଛି । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ବିପଦସଂକୁଳ ଜନଜାତି ବର୍ଗକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଶାରେ ରହୁଥିବା ଏହି ବର୍ଗର ବହୁ ଲୋକ ଉପକୃତ ହେବେ । ଅନ୍ୟପଟରେ ମନରେଗା ପାଣ୍ଠି ହ୍ରାସ କରାଯାଇଛି । ଏହା ଦ୍ବାରା ଗରିବ ଲୋକ ପ୍ରଭାବିତ ହେବେ । ସେହିପରି ଖାଦ୍ୟ ସୁରକ୍ଷା ବଜେଟ ହ୍ରାସ କରାଯାଇଛି । ଗତ ଥର ବଜେଟରେ 2 ଲକ୍ଷ କୋଟି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଥର ହ୍ରାସ କରାଯାଇ 1.37 ଲକ୍ଷ କୋଟି କରାଯାଇଛି ।" ଏହା ଦ୍ବାରା ଗରିବ ଓ ଚାଷୀ ପ୍ରଭାବିତ ହେବେ ବୋଲି ନବୀନ କହିଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି । ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଚାଷୀ ଶସ୍ୟ ବିକିବା ସମୟରେ ସର୍ବନିମ୍ନ ସମର୍ଥନ ପାଇବାରେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ନବୀନ ଆଶଙ୍କା କରିଛନ୍ତି । ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅନୁଦାନ ବୃଦ୍ଧି କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ର ସରକାର ମାତ୍ର 7 ହଜାର 2 ଶହ କୋଟି ରଖିଛନ୍ତି । କିନ୍ତୁ ଓଡ଼ିଶା ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ 6 ହଜାର କୋଟି ବ୍ୟୟ କରୁଛନ୍ତି । ତେଣୁ ମୁଁ ଆଶା ରଖିବି ଯେ ଓଡିଶା ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରିବେ ବୋଲି କହିଛନ୍ତି ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.