ଧୁମଧାମରେ ପାଳନ ହେଉଛି ଛଟ ପୂଜା, ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କଲେ ବ୍ରତଧାରୀ

By ETV Bharat Odisha Team

Published : Nov 19, 2023, 8:06 PM IST

thumbnail

ରାଉରକେଲା: ଷ୍ଟିଲ ସିଟିରେ ଧୁମଧାମରେ ପାଳନ ହେଉଛି ଛଟ ପର୍ବ । ରାଉରକେଲାରେ ସହରର ସମସ୍ତ ଘାଟରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରୁଛନ୍ତି ବ୍ରତଧାରୀ । ସାଂସ୍କୃତିକ ଏକତାର ଏକ ଉଜ୍ଜ୍ୱଳ ଦୃଶ୍ୟରେ ରାଉରକେଲା ସହର ଛଟ ପୂଜାର ଉତ୍କଣ୍ଠାପୂର୍ଣ୍ଣ ଉତ୍ସବରେ ଜୀବନ୍ତ ହୋଇ ଉଠିଛି । ବିହାରୀ ପରମ୍ପରାରେ ଗଭୀର ଭାବେ ଜଡିତ ଏକ ପବିତ୍ର ପର୍ବ 'ଛଟ୍ ପୂଜା' ରାଉରକେଲାର ବିଭିନ୍ନ ଅଞ୍ଚଳରେ ଭବ୍ୟତାରେ ପାଳନ କରାଯାଉଛି । ସହରର ଗୋପବନ୍ଧୁ ପଲ୍ଲୀ, ସେକ୍ଟର-16, ଝିରପାଣି, ପାନପୋଷ, ବାଲୁଘାଟ, ତିଳକା ନଗର, ବନ୍ଧମୁଣ୍ଡା, ରେଲୱେ କଲୋନୀ, ଫର୍ଟିଲାଇଜର, ବେଦବ୍ୟାସ, ଦେଓଗାଁ ଅଞ୍ଚଳରେ ମନ୍ତ୍ରୋଚ୍ଚାରଣ, ପ୍ରାର୍ଥନା ସହ ବ୍ରତଧାରୀମାନଙ୍କ ଭକ୍ତିରେ ସମ୍ପୂର୍ଣ୍ଣ ରାଉରକେଲା ସହର ଭକ୍ତିଭାଵରେ ଖେଳି ଯାଇଥିଲା ।  ଏହି ମହାପର୍ବ ଛଟ୍ ପୂଜା ନଭେମ୍ବର ୨୦ରେ ଶେଷ ହେବ । ଏହି ପୂଜାରେ ସୂର୍ଯ୍ୟ ଦେବଙ୍କୁ ପୂଜା ଓ ଆରାଧନା କରି ତାଙ୍କର କୃପା ଭିକ୍ଷା କରିଥାନ୍ତି ବ୍ରତଧାରୀ । ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରୁ ଘରେ ଧନଧାନ୍ୟ ବୃଦ୍ଧି ହେବା ସହ ସମସ୍ତେ ନିରୋଗୀ ରୁହନ୍ତି ।  

ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଏକ ବଡ଼ ପର୍ବ ହେଉଛି ଛଟ୍ । ପ୍ରତିବର୍ଷ ଦେଶବିଦେଶରେ ରହୁଥିବା ହିନ୍ଦୀ ଭାଷାଭାଷୀ ଲୋକ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି । ପୂର୍ବରୁ ଏହି ପ୍ରାଚୀନ ହିନ୍ଦୁ ପର୍ବକୁ ବିଶେଷ ଭାବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ନେପାଳ କିଛି ଅଂଶରେ ପାଳନ କରାଯାଉଥିଲା । ଧିରେ ଧିରେ ହିନ୍ଦୀ ଭାଷାଭାଷୀ ଲୋକ ରହୁଥିବା ସବୁ ସ୍ଥାନରେ ଏହି ପର୍ବ ପାଳନ ହେଉଛି । ଏହି ପର୍ବ ହିନ୍ଦୁ ଭକ୍ତିର ବଡ ପର୍ବ । ଏହି ଉପବାସ ସହ ଜଡିତ ଅନେକ ମାନ୍ୟତା ମଧ୍ୟ ରହିଛି । ଏହି ପର୍ବର ଆରମ୍ଭ ମହାଭାରତ ଯୁଗରୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି । ମହାଭାରତ କାଳରେ ଯେତେବେଳେ ପାଣ୍ଡବ ନିଜର ସମସ୍ତ ରାଜପାଟ ଜୁଆରେ ହାରିଯାଇଥିଲେ ସେହି ସମୟରେ ଦ୍ରୋପଦୀ ଚାରି ଦିନ ଉପବାସ ରଖିଥିଲେ । ଏହି ପର୍ବରେ ଭଗବାନ ସୂର୍ଯ୍ୟଙ୍କ ଉପାସନା କରି ମନୋକାମନାରେ ନିଜର ରାଜପାଟ ପୂନର୍ବାର ମାଗିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ....ରାଉରକେଲାରେ ଛଟ ପୂଜା ପାଳନ, ଜମୁଛି ବ୍ୟବସାୟୀଙ୍କ ବେପାର

ଏଥିସହ ଅନ୍ୟ ଏକ ମାନ୍ୟତା ଅନୁଯାୟୀ, ଭଗବାନ କର୍ଣ୍ଣ ସୂର୍ଯ୍ୟଙ୍କର ପରମ ଭକ୍ତ ଥିଲେ ଏବଂ ପାଣିରେ ଘଣ୍ଟା ଘଣ୍ଟା ଛିଡା ହୋଇ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ଯାହାଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ତାଙ୍କୁ ମହାନ୍‌ ଯୋଦ୍ଧା ହେବାର ଆଶୀର୍ବାଦ ଦେଇଥିଲେ । ସେପଟେ ରାମାୟଣରେ ବର୍ଣ୍ଣିତ କଥା ଅନୁଯାୟୀ, ମାତା ସୀତା ଛଟ୍‌ ପୂଜା କରିଥିଲେ । ୧୪ ବର୍ଷ ବନବାସ ପରେ ଯେତେବେଳେ ଭଗବାନ ରାମ ଅଯୋଧ୍ୟା ଫେରିଥିଲେ ସେତେବେଳେ ରାବଣ ବଧ ପାପରୁ ମୁକ୍ତ ହେବା ପାଇଁ ଋଷି-ମୁନିଙ୍କ ଆଦେଶ ପରେ ରାଜସୁୟ ଜଜ୍ଞ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ମୁଗ୍ଦଲ ଋଷିଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ମୁଗ୍ଦଲ ଋଷି ଭଗବାନ ରାମ ଏବଂ ସୀତାଙ୍କୁ ନିଜ ଆଶ୍ରମକୁ ଆସିବାକୁ ଆଦେଶ ଦେଇଥିଲେ । ଋଷିଙ୍କ ଆଜ୍ଞାରେ ଭଗବାନ ରାମ ଏବଂ ସୀତା ସ୍ୱୟଂ ଏଠାକୁ ଆସିଥିଲେ ଏବଂ ତାଙ୍କୁ ଏହି ପୂଜା ବିଷୟରେ କୁହାଯାଇଥିଲା । ମୁଗ୍ଦଲ ଋଷି ମା' ସୀତାଙ୍କ ଉପରେ ଗଙ୍ଗା ପାଣି ଛିଞ୍ଚି ପବିତ୍ର କରିଥିଲେ ଏବଂ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟଦେବଙ୍କ ଉପାସନା କରିବା ପାଇଁ ଆଦେଶ ଦେଇଥିଲେ । ଏହାପରେ ମାତା ସୀତା ଏଠାରେ ରହି  ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ ।  

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.