ଅଘୋଷିତ ବିଜୁଳି କାଟ୍; ବିଜେପିର ବିକ୍ଷୋଭ, ଟାଟା ପାୱାର ମୁଖ୍ୟ ଫାଟକରୁ ନାମ ଫଳକ ତାଡ଼ିଲେ - ବ୍ରହ୍ମପୁରରେ ବିଜେପିର ବିକ୍ଷୋଭ
🎬 Watch Now: Feature Video
ବ୍ରହ୍ମପୁର: ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ ବିରୋଧରେ ସବୁଠି ଦେଖିବାକୁ ମିଳିଛି ଅସନ୍ତୋଷ । ଏଭଳି ସମୟରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି । ବ୍ରହ୍ମପୁର ସହରରେ ରହିଥିବା ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଏହି ବିକ୍ଷୋଭ ସମୟରେ ଟାଟାର ମନମୁଖୀ କାର୍ଯ୍ୟକୁ ନେଇ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଆନ୍ଦୋଳନରତ ବିଜେପି କର୍ମୀ ଟାଟା ପାୱାର କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଲାଗିଥିବା ନାମ ଫଳକକୁ ଉପାଡ଼ି ଫୋପାଡି ଦେଇଥିବା ଦେଖାଯାଇଥିଲା ।
ଓଡ଼ିଶା ଭଳି ବିଜୁଳି ବଳକା ରାଜ୍ୟର ଲୋଙ୍କ ଉପରେ ଏଭଳି ଜୁଲୁମ୍ ଘଟଣାକୁ ନିନ୍ଦା କରିଛି ବିଜେପି । ଏଣୁ ବିଦ୍ୟୁତ୍ କାଟ୍ ବନ୍ଦ କରି ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗେଇଦେବା, ଟାଟା ପାୱାର୍ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ କରିବା, ବିଦ୍ୟୁତ୍ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡ଼ିବା, ବିଦ୍ୟୁତ ବିଭାଗରେ ଖର୍ଚ୍ଚ ହେଇଥିବା ୨୦ ହଜାର କୋଟି ଟଙ୍କାର ତଦନ୍ତ କରାଯିବା ଆଦି ଦାବି ନେଇ ବିଜେପିର ନେତୃବୃନ୍ଦ ବ୍ରହ୍ମପୁର ଠାରେ ଟାଟା ପାୱାର୍ କର୍ତ୍ତୃପକ୍ଷଙ୍କ ସହିତ ପରେ ଆଲୋଚନା କରିଥିଲେ । ବ୍ରହ୍ମପୁର ଠାରେ ଆୟୋଜିତ ଏହି ବିକ୍ଷୋଭରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତିଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ମକର୍ତ୍ତା ଟାଟା ପାୱାର କାର୍ଯ୍ୟାଳୟ ଠାରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ରାଜରାସ୍ତାରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁର ଟାଟା ପାୱାର କାର୍ଯ୍ୟାଳୟ ,ସମ୍ମୁଖରେ ପ୍ରତିବାଦ କରୁଥିବା ବିଜେପି ନେତୃବୃନ୍ଦଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର