Budget 2023 Reaction: ଗରିବ ଲୋକଙ୍କ ପାଇଁ ବଜେଟରେ କିଛିନାହିଁ କହିଲେ ପ୍ରଦୀପ ମାଝୀ - ବଜେଟ ଉପରେ ପ୍ରତିକ୍ରିୟା
🎬 Watch Now: Feature Video
ନବରଙ୍ଗପୁର: ଆର୍ଥିକ ବର୍ଷ ୨୦୨୩-୨୪ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି । ମୋଟ ୪୫ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ ହୋଇଥିବା ବେଳେ ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ । ଅର୍ଥମନ୍ତ୍ରୀ ନିଜ ବଜେଟ ଅଭିଭାଷଣରେ କେବଳ ଆଳଙ୍କାରିକ ଶବ୍ଦ ବ୍ୟବହାର କରି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରିଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ, ଏହା ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଆଜି ବି କିଛି ଆଦିମ ଜନଜାତି ସମାଜ ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି, ବଜେଟରେ ସେମାନଙ୍କ ଲାଗି ବିଶେଷ ଘୋଷଣା ହୋଇନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, "ଅର୍ଥ ମନ୍ତ୍ରୀ ସୁନ୍ଦର ଭାଷଣ ଦ୍ବାରା ଦେଶବାସୀଙ୍କୁ ଭ୍ରମିତ କରିଛନ୍ତି । ଦେଶରେ ବସବାସ କରୁଥିବା ୮୧ କୋଟି ୩୪ ଲକ୍ଷ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅର୍ଥମନ୍ତ୍ରୀ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରିନାହାନ୍ତି । ସେମାନଙ୍କ ଭବିଷ୍ୟତ ଲାଗି କେନ୍ଦ୍ର ସରକାର କଣ ଯୋଜନା ରଖିଛନ୍ତି ସେ ନେଇ କିଛି କହିନାହାନ୍ତି । ଚାଷୀଙ୍କ ପାଇଁ ବାୟୋଫର୍ଟିଲାଇଜର ବ୍ୟତୀତ ଅନ୍ୟ କୌଣସି ପ୍ୟାକେଜର ଘୋଷଣା କରିନାହାନ୍ତି । ସେହିପରି ଯୁବଗୋଷ୍ଠୀ କିପରି ଭାବେ ନିଯୁକ୍ତି ପାଇବେ ସେ ନେଇ ମଧ୍ୟ ସ୍ବତନ୍ତ୍ର ଭାବେ କିଛି କୁହାଯାଇନାହିଁ । ଏଣୁ ଏହି ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ।"
ଏହା ବି ପଢନ୍ତୁ- Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି
ଅନ୍ୟପଟେ ଆଜି ଅର୍ଥମନ୍ତ୍ରୀ ଆଦିମ ଜନଜାତିଙ୍କ ବିକାଶ ଲାଗି ୧୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏହାକୁ ସେମାନଙ୍କ ବିକାଶ ଯେପରିକି ଶିକ୍ଷା, ସ୍ବଚ୍ଛତା, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ବିନିଯୋଗ କରାଯିବ । ଏହାଦ୍ବାରା ୩.୫ ଲକ୍ଷ ଆଦିମ ଜନଜାତି ଉପକୃତ ହେବେ ବୋଲି ବଜେଟ ଉପସ୍ଥାପନା ବେଳେ କହିଥିଲେ ଅର୍ଥମନ୍ତ୍ରୀ । ପ୍ରଧାନମନ୍ତ୍ରୀ PVTG ବିକାଶ ମିଶନ ମାଧ୍ୟମରେ ଆଦିମ ଜନଜାତିଙ୍କ ବିକାଶ କରାଯିବ । ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ସେ କହିଛନ୍ତି, "ଏମାନଙ୍କ ବ୍ୟତୀତ ବାକି ଆଦିବାସୀ ସମ୍ପ୍ରଦାୟ ଲାଗି ସରକାର କୌଣସି ବିଶେଷ ଘୋଷଣା କରିନାହାନ୍ତି ।"
ଆଜି ପର୍ଯ୍ୟନ୍ତ ବି କିଛି ସମ୍ପ୍ରଦାୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି । ସେମାନଙ୍କ ଲାଗି ସରକାର କିଛି କହିନାହାନ୍ତି । ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ କେତେ ସଂଶୋଧନ କରିବେ ସେ ସମ୍ବନ୍ଧରେ ମଧ୍ୟ କୌଣସି ଉଲ୍ଲେଖ କରିନାହାନ୍ତି । ଏଣୁ ବଜେଟ ଉତ୍ସାହଜନକ ନୁହେଁ, ନୈରାଶ୍ୟଜନକ । ଏହା କେବଳ ଉପର ସ୍ତରର ଲୋକଙ୍କ ପାଇଁ ହୋଇଛି । ଗରିବ ଲୋକଙ୍କ ପାଇଁ କିଛି ନାହିଁ ।" ବିରୋଧୀମାନେ ଚଳିତ ବର୍ଷର ବଜେଟକୁ ନିର୍ବାଚନୀ ବଜେଟ ବୋଲି ମଧ୍ୟ କହିଛନ୍ତି । ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ଆଗତ କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର