thumbnail

RajyaSabha: ସଂସଦରେ ବିଜେଡି ପୁଣି ଉଠାଇଲା ମହିଳା ସଂରକ୍ଷଣ ଦାବି

By

Published : Jul 26, 2023, 11:01 PM IST

ନୂଆଦିଲ୍ଲୀ/ଭୁବନେଶ୍ବର:  ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି 33 ପ୍ରତିଶତ ସିଟ୍‌ ସଂରକ୍ଷଣ କରାଯାଉ । ଦୀର୍ଘଦିନ ହେଲା ଏହି ଦାବି ଉଠାଇ ଆସୁଛି ବିଜୁ ଜନତା ଦଳ । ଆଜି ପୁଣି ଏହି ଦାବି ଦୋହରାଇଛି ବିଜେଡି । ରାଜ୍ୟସଭାରେ ପୁନର୍ବାର ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି ଯେ, ସଶକ୍ତ ଭାରତ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ମହିଳାଙ୍କ ପ୍ରତିନିଧିତ୍ବକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । ଉଭୟ ଲୋକସଭା ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ଦାବି କରି ଆସୁଛି ବିଜୁ ଜନତା ଦଳ । କିନ୍ତୁ କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । 2019ରେ ବିଜେଡି ଏକମାତ୍ର ଦଳ ଭାବେ 33 ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ । ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି । ତା ସତ୍ତ୍ବେ ମଧ୍ୟ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ ହୋଇପାରିନାହିଁ । ତୁରନ୍ତ ମହିଳା ସଂରକ୍ଷଣ ବିଲ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହାଦ୍ବାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ 66 କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ-  HC Bench In Western Odisha: ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣ୍ଣାଙ୍ଗ ପ୍ରସ୍ତାବ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.