ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ - ବାମନ ବେଶ
🎬 Watch Now: Feature Video
ସୁବର୍ଣ୍ଣପୁର: ଆଷାଢ଼ ଶୁକ୍ଳ ଚତୁର୍ଥୀ ତିଥିରେ ସୁବର୍ଣ୍ଣପୁର ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବରାହ ଓ ପ୍ରଭୁ ବଳଭଦ୍ର ନୃସିଂହ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆଜି ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁ ବାମନ ଏବଂ ବଡଠାକୁରଙ୍କ ପର୍ଶୁରାମ ବେଶ ଅନୁଷ୍ଠିତ ହେବ । ଗତକାଲି ସନ୍ଧ୍ୟାରେ ତିନି ବିଗ୍ରହ ଶ୍ରୀଗୁଣ୍ଡିଚା ଗୁଡିରେ ପହଁଞ୍ଚିବା ପରେ ନୃସିଂହ ଦେବଙ୍କ ସହିତ ଅବସ୍ଥାନ କରିଥିଲେ । ପରମ୍ପରା କ୍ରମେ ସେବାୟତମାନେ ବେନି ଭାଇଙ୍କୁ ବେଶ କରିଥିଲେ । ନୃସିଂହ ମହାପ୍ରଭୁଙ୍କ ସହିତ ତିନି ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ଗୁଡିରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା । ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ଗୁଡି ପରିସରରୁ ଧୂପ, ଦୀପ, ନୈବେଦ୍ୟ ନେଇ ବିଗ୍ରହଙ୍କୁ ଅର୍ପଣ କରିଥିଲେ । ଦେବୋତ୍ତର ବିଭାଗ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ବ୍ୟବସ୍ଥା କରାଯାଇଥିଲା ।
ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଦେବୋତ୍ତର ବିଭାଗର ସହଯୋଗରେ ଯାତ୍ରା କମିଟି ପକ୍ଷରୁ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିବା ବେଳେ ଚଳିତ ବର୍ଷ ଯାତ୍ରା କମିଟି ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ସେବାୟତମାନେ ପ୍ରତ୍ୟହ ସକାଳୁ ବେନି ଭାଇଙ୍କ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ସହିତ ବେଶ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଦେବୋତ୍ତର କମିଟି, ଶ୍ରୀଗୁଣ୍ଡିଚା ଯାତ୍ରା କମିଟି ଓ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଶ୍ରମ ଦାନ କରୁଛନ୍ତି । ପ୍ରତ୍ୟହ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବେନି ମୂର୍ତ୍ତିଙ୍କ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର