World Water Day: ଜଳ ହିଁ ଜୀବନ, ବାଲୁକା ଚିତ୍ରକଳାରେ ଜଳ ସଂରକ୍ଷଣ ବାର୍ତ୍ତା - ବାଲୁକା ଚିତ୍ରକଳାରେ ଜଳ ସଂରକ୍ଷଣ ପାଇଁ ବାର୍ତ୍ତା
🎬 Watch Now: Feature Video
ପୁରୀ: ଆଜି ବିଶ୍ବ ଜଳ ଦିବସ । ଜଳ ହିଁ ଜୀବନ । ଜଳର ଅପଚୟ, ପ୍ରଦୂଷଣ ରୋକିବା ଏବଂ ଏହାର ସଂରକ୍ଷଣ ସମ୍ପର୍କରେ ବିଶ୍ଵରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଜଳ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବିଚ୍ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଜଳ ସଂରକ୍ଷଣ ନେଇ ସଚେତନତା ବାର୍ତ୍ତା ରହିଛି । ବାଲୁକା ଚିତ୍ରକଳାଟି ବେଶ୍ ଆକର୍ଷଣୀୟ ହେଇଛି । ଜଳ ଅପଚୟ ରୋକିବା ନେଇ ଶିଳ୍ପୀଙ୍କ ଏହି ନିଆରା ଶୈଳୀ ବାର୍ତ୍ତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଗୋଟେ ପଟେ ଜଳ ଅପଚୟ ହେଉଥିବା ବେଳେ ଅନ୍ୟପଟେ ଜଳର ଅଭାବ ଚିତ୍ରକଳାରେ ସ୍ଥାନ ପାଇଛି ।
ଭାରତରେ ବିଶୁଦ୍ଧ ପାନୀୟ ଜଳର ବହୁଳ ବ୍ୟବହାର ଓ ପ୍ରଦୂଷଣ ହେଉଛି । କେଉଁଠି ପାଣି କଳ ଖୋଲା ଛାଡି ଦେବା ଫଳରେ ପାନୀୟ ଜଳ ଅପଚୟ ହେଉଛ ତ କେଉଁଠି ପାଇପ ଫାଟି ଜଳ ନଷ୍ଟ ହେଉଛି । ଲୋକମାନେ ସଚେତନ ନଥିବାରୁ ଏହାର ସମାଧାନ କରାଯାଇ ପାରୁନାହିଁ । ଦେଶରେ ପାହାଡିଆ, ମରୁଭୂମି, ସମୁଦ୍ର କୂଳ ଅଞ୍ଚଳରେ ମଧୁର ପାନୀୟ ଜଳ ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଏଥିପାଇଁ ମାଇଲ ମାଇଲ ବାଟ ଚାଲିଥାନ୍ତି ।
କେତେକ ସ୍ଥାନର ଲୋକେ ପୋଖରୀ, ଚୁଆରୁ ପାନୀୟ ଜଳ ସଂଗ୍ରହ କରନ୍ତି । ଏହି ଦୂଷିତ ଜଳ ପିଇ ଅନେକ ରୋଗ ବ୍ୟାଧିରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାନ୍ତି । ଏଣୁ ପାନୀୟ ଜଳକୁ ଅଯଥା ନଷ୍ଟ ନକରି ଏହାକୁ କିଭଳି ସଂରକ୍ଷଣ କରିହେବ ସେ ଦିଗରେ ଯୁବପିଢ଼ି କାର୍ଯ୍ୟ କରିବାକୁ ବାଲୁକା ଚିତ୍ରକଳା ଜରିଆରେ ବାର୍ତ୍ତା ଦିଆଯାଇଛି ।
ଇଟିଭି ଭାରତ, ପୁରୀ