କେନ୍ଦ୍ରାପଡା/ପୁରୀ: ଓଡି଼ିଶା ଉପକୂଳ ମୁହାଁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍ ଅତିକ୍ରମ କରି ରାଜ୍ୟର ବିଭିନ୍ନ ବେଲାଭୂମିରେ ପହଞ୍ଚିଛନ୍ତି ଅଲିଭ ରିଡଲେ କଇଁଛ । ସୁରକ୍ଷିତ ମୁହାଣ ଭାବେ ଓଡିଶାକୁ ବାଛି ନେଇଛନ୍ତି ଏହି ବିରଳ ପ୍ରଜାତି କଇଁଛ । ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ଗତ ନଭେମ୍ବର(2024 Nov)ରୁ ଆସନ୍ତା ମେ ମାସ(2025 May) ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୁଏ ଗଣ ଅଣ୍ଡାଦାନ ପ୍ରକ୍ରିୟା ।
ଓଡିଶାର ସାମୁଦ୍ରିକ ତଟ କେନ୍ଦ୍ରାପଡ଼ା ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ପୁରୀ ଜିଲ୍ଲା ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଗଞ୍ଜାମ ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି । ଏଥର ମଧ୍ୟ କଇଁଛଙ୍କ ଆଗମନ ସହ ବନ ବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ କଟକଣା ଜାରି କରିଛି ।
ଦେବୀ ମୁହାଣରୁ ଆରମ୍ଭ ବର୍ଷର ପ୍ରଥମ ଅଣ୍ଡାଦାନ
ଦେବୀ ମୁହାଣରୁ ଚଳିତ ବର୍ଷର ପ୍ରଥମ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗର ଦେବୀ ମୁହାଁଣ ଅଞ୍ଚଳରେ ଅଲିଭ ରିଡଲେ କଇଁଛଙ୍କ ଚଳିତ ବର୍ଷର ପ୍ରଥମ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟେ ପଟେ ସମୁଦ୍ର ଭିତରେ ଅଲିଭ ରିଡଲେ କଇଁଛମାନଙ୍କର ସଙ୍ଗମ ପ୍ରକ୍ରିୟା ଚାଲିଥିବାବେଳେ, ଅନ୍ୟପଟେ ଅପ୍ରତ୍ୟାଶିତ ଭାବେ ଗୋଟିଏ କଇଁଛ ଦେବୀ ମୁହାଁଣ ନିକଟରେ ଥିବା ଦେବୀ ନାଶୀ ନିକଟରେ ୧୨୭ଟି ଅଣ୍ଡାଦାନ କରି ସମୁଦ୍ର ଭିତରକୁ ଫେରିଯାଇଥିବା ସୂଚନା ମିଳିଛି । ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ ସମୁଦ୍ର ଉପକୂଳରେ ଦୈନିକ ପଇଁତରା ମାରୁଥିବାବେଳେ ଦେବୀନାଶୀ ନିକଟରେ କିଛି କଇଁଛ ବାଲୁକା ରାଶିରେ ଆସିଥୁବା ପଦଚିହ୍ନ ଦେଖୁବାକୁ ପାଇଥିଲେ ।
ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆସନ୍ତା ଫେବୃଆରୀ ମାସଠାରୁ ଆରମ୍ଭ ହୋଇ ମେ ମାସ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଅଣ୍ଡାଦାନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଯିବା ଯୋଗୁଁ ଅସମୟରେ ଅଣ୍ଡାଦାନ ପ୍ରକ୍ରିୟା ହୋଇଛି । ଏଭଳି ପରିସ୍ଥିତିରେ ଦେବୀ ମୁହାଁଣ ଅଞ୍ଚଳରେ ଅଲିଭ ରିଡଲେ କଇଁଚ ମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ଭଲହେବ ବୋଲି ପରିବେଶବିତ ମାନେ ଆଶାପ୍ରକଟ କରିଛନ୍ତି ।
ଅଲିଭ ରିଡଲେଙ୍କ ମୃତ୍ୟୁର କାରଣ ଟ୍ରଲର
ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସାବାଡ଼ ହେବେ ଅମାନିଆ ଟ୍ରଲର ମାଲିକ । ‘‘ଦେବୀ ନଦୀ ମୁହାଣରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଅଲିଭ ରିଡଲେଙ୍କ ମିଳନ ପର୍ବ ଚାଲିଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । କିନ୍ତୁ ବିଗତ କିଛି ବର୍ଷ ଧରି ପୁରୀଠୁ ଅସ୍ତରଙ୍ଗ ବେଳାଭୂମିରେ ଶହ ଶହ ଅଲିଭ ରିଡଲେଙ୍କ ମୃତଦେହ ଦେଖିବାକୁ ମିଳିଛି । ଏଥିପାଇଁ କେବଳ ଅସାଧୁ ଟ୍ରଲର ମାଲିକ ଦାୟୀ । ମାଛ ବ୍ୟବସାୟ ପାଇଁ ସମୁଦ୍ର ନିଷିଦ୍ଧାଞ୍ଚଳରେ ଟ୍ରଲର ମାଲିକ ଅବାଧ ପ୍ରବେଶ କରୁଛନ୍ତି । ମାଛ ଧରିବା ସମୟରେ କଇଁଛ ଜାଲରେ ପଡି ମୃତ୍ୟୁବରଣ କରୁଛନ୍ତି । ବାରଣ ସତ୍ତ୍ବେ ବି ମାନୁ ନାହାନ୍ତି ଅମାନିଆ ଟ୍ରଲର । ପୁରୀ ଜିଲ୍ଲା ବନବିଭାଗ ନିକଟରେ ମିଳିତ ଚଡାଉ କରି 5 ରୁ 7 ଟ୍ରଲର ଜବତ କରି ମାମଲା ରୁଜୁ କରିଛି । ବନ୍ୟପ୍ରାଣୀ ସୁରକ୍ଷା ଆକ୍ଟ ଆଧାରରେ ଟ୍ରଲର ମାଲିକ ଓ ମତ୍ସ୍ୟ ଜୀବୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କଲେ ଚଳିତ ବର୍ଷ ଅଧିକ ଅଣ୍ଡା ଦାନ ହୋଇପାରନ୍ତା" ବୋଲି କହିଛନ୍ତି ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ।
ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ସାଟେଲାଇଟ ଟେଲିମେଟ୍ରି ଜରିଆରେ ନଜର - OLIVE RIDLEY TURTLESବାଲୁକାକଳାରେ 'ସେଭ୍ ଅଲିଭ ରିଡଲେ' ବାର୍ତ୍ତା - SAVE OLIVE RIDLEY |
ମେ 31 ଯାଏଁ ଗହୀରମଥାରେ ଟ୍ରଲର ମନା
ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ଯେ "ବିରଳ ଅଲିଭ୍ ରିଡ୍ଲେଙ୍କ ଏନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିଛି କଟକଣା । ଗତ ନଭେମ୍ବର ୧ ତାରିଖରୁ ଆସନ୍ତା ମେ ୩୧ ଯାଏଁ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳଠାରୁ ୨୦କି.ମି. ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହ ମାଛଧରା ଉପରେ କଟକଣା ଜାରି କରାଯାଇଛି । "
ଅଲିଭ ରିଡଲେଙ୍କ ସୁରକ୍ଷା ପ୍ରତି ନାହିଁ କି ନିଘା ?
‘‘ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଗହୀରମଥାକୁ ପ୍ରଶାନ୍ତ ମହାସାଗର, ଶ୍ରୀଲଙ୍କା ଓ ଜାଫନା ଦ୍ବୀପରୁ ଶହ ଶହ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଗହୀରମଥାକୁ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ବଂଶ ବିସ୍ତାର କରିବାକୁ ଆସିଥିବା ଅଲିଭ ରିଡଲେକୁ ସୁରକ୍ଷା ଦେଇପାରୁ ନାହାନ୍ତି ସରକାର । ନିୟମ ଅନୁସାରେ ବନ ବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ଓ ମତ୍ସ୍ୟ ବିଭାଗ ମିଳିତ ଭାବେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରିବାର ଆବଶ୍ୟକ ରହିଛି। ବନବିଭାଗ ଅଳ୍ପବହୁତ ସୁରକ୍ଷା ଦେଉଥିବାବେଳେ ଅନ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଜବତ ଟ୍ରଲର ମାଲିକ କିଛି ଦିନ ପରେ ଆଇନର ଗଳାବାଟ ଦେଇ ପୁଣି ଥରେ ସମୁଦ୍ରରେ ପଶି ଅବାଧ ମାଛ ମାରୁଛନ୍ତି’’ ବୋଲି ଅଭିଯୋଗ କରିଛନ୍ତି ପରିବେଶପ୍ରେମୀ ଜଗନ୍ନାଥ ଦାସ ।
ମତ୍ସ୍ୟ ଉତ୍ପାଦନରେ ଅଲିଭ ରିଡଲେଙ୍କ ଅବଦାନ ଅଧିକ:
‘‘ଆଜି ଯଦି ଚିଙ୍ଗୁଡି ବା ମତ୍ସ୍ୟ ଉତ୍ପାଦନ କରି ଓଡିଶା ଅଧିକ ବିଦେଶୀ ମୁଦ୍ରା ରୋଜଗାର କରୁଛି ତାହା କେବଳ ଅଲିଭ ରିଡଲେଙ୍କ ଅବଦାନ । କାରଣ ଅଲିଭ ରିଡଲେ କଇଁଛ ଜେଲି ଫିସ୍ ଖାଇଥାଏ । ଏହି ଜେଲି ଫିସ୍ ସାଧାରଣତଃ ଜାଆଁଳ ଓ ଛୋଟ ମାଛ ଖାଇ ଉପକୂଳରୁ ମାଛ ବଂଶବୃଦ୍ଧିକୁ ରୋକିଥାଏ । ଜେଲି ଫିସ୍କୁ ଖାଇବା ଦ୍ବାରା ମାଛ ବଂଶ ବୃଦ୍ଧି ପାଉଛି । ରାଜ୍ୟ ଯଦି ଆଜିର ସମୟରେ ଅଧିକ ମାଛ ଉତ୍ପାଦନ କରିଛି ସେଥିପାଇଁ ସମସ୍ତ ଶ୍ରେୟ ଅଲିଭ ରିଡଲେକୁ ଦେଲେ ଅତ୍ୟୁକ୍ତି ହେବ ନାହିଁ । ଉପକୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ଓ ପୁରୁଣା ମହାନଦୀ ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ଯେଉଁ ଗହୀରମଥା ଅଞ୍ଚଳ ରହିଛି ସେଠାରେ ଅଧିକ ସଂଖ୍ୟାରେ ମାଛ ରହିଥାନ୍ତି । ମାଛ ମାରିବା ଲୋଭରେ ଗହୀରମଥାରେ ଟ୍ରଲର ପୁରାଉଛନ୍ତି ଅସାଧୁ ମାଲିକ । ଏଥିପାଇଁ ସ୍ବତନ୍ତ୍ର ଆଇନର ଆବଶ୍ୟକତା ରହିଛି’’ ବୋଲି ଦାବି କରିଛନ୍ତି ପରିବେଶପ୍ରେମୀ ଜଗନ୍ନାଥ ଦାସ ।
ସୁପ୍ରିମକୋର୍ଟ ୮ଟି ବିଭାଗକୁ ଦେଇଛନ୍ତି ଦାୟିତ୍ବ:
‘‘1975ରେ ୱାଶିଂଟନ ଡିସିରେ ଗହୀରମଥାକୁ ସୁରକ୍ଷା ଦେବା ପାଇଁ ଦୁଇ ଥର ସମ୍ମିଳନୀ ହୋଇଛି । ଗୋଆକୁ ମାତ୍ର 50ଟି ଅଲିଭ ରିଡଲେ ଆସୁଥିବା ବେଳେ ସେଠାରେ ସଚେତନତା ଅଧିକ । 2004ରେ ସୁପ୍ରିମକୋର୍ଟ କୋଷ୍ଟଗାର୍ଡ, ପୋଲିସ, ମାରାଇନ, ବନବିଭାଗ ଭଳି 8ଟି ବିଭାଗକୁ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ବ ଦେଇଛନ୍ତି । ପୁରୀ ଭଳି ସୁଦୀର୍ଘ ବେଳାଭୂମି ହେଉଛି ଗହୀରମଥା । କେବଳ ପ୍ରଶାସନ କିମ୍ବା ସରକାର ନୁହେଁ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ସାଧାରଣ ଲୋକ ବି ଦାୟିତ୍ବ ନେବା ଆବଶ୍ୟକ । ବନ୍ଦର ଭିତ୍ତିକ ମାନସିକତାକୁ ନେଇ ଆଜି ଅସୁରକ୍ଷିତ ବିଭିନ୍ନ ବେଳାଭୂମି ଓ ଅଲିଭ ରିଡ୍ଲେ । ଏକଦା 7 ଲକ୍ଷ କଇଁଛ ଓଡିଶା ଆସୁଥିବାବେଳେ ଏବେ ଏହା ତିନି ଲକ୍ଷରେ ପହଞ୍ଚିଲାଣି । ଏଥିପ୍ରତି ଦୃଷ୍ଟି ନ ଦେଲେ ଗହୀରମଥାକୁ ଆଉ ଅଲିଭ୍ ରିଡ୍ଲେ ଆସିବେନି’’ ବୋଲି ଚିନ୍ତାପ୍ରକଟ କରିଛନ୍ତି ପରିବେଶବିତ୍ ହେମନ୍ତ କୁମାର ରାଉତ ।
14ଟି ସ୍ଥାନରେ ଅଲିଭ ରିଡଲେଙ୍କୁ ଜଗିଛି ବନବିଭାଗ
ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧ ଓ ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟର୍ଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯାଇଛି । ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାବାଦ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୁତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।
ଇଟିଭି ଭାରତ, କେନ୍ଦ୍ରାପଡ଼ା/ ପୁରୀ