ବୁଢୀ ଠାକୁରାଣୀ ଯାତ୍ରା: ସପ୍ତମ ଦିନରେ ମାଉସୀଙ୍କ ଘରକୁ ଯିବେ ମା' - ସପ୍ତମ ଦିନରେ ବୁଢୀ ଠାକୁରାଣୀ ଯାତ୍ରା
🎬 Watch Now: Feature Video
ବ୍ରହ୍ମପୁର: ଅଧିଷ୍ଠାତ୍ରୀ ଦେବୀ ମା' ବୁଢୀ ଠାକୁରାଣୀଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର ସହର । ବ୍ରହ୍ମପୁରରେ ଆୟୋଜିତ ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାର ସପ୍ତମ ଦିବସରେ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଅସ୍ତାୟୀ ମନ୍ଦିରରେ ମା'ଙ୍କୁ ଦର୍ଶନ କରି ଭକ୍ତ ଆଶିଷ ଲାଭ କରୁଛନ୍ତି । ପରମ୍ପରା ଅନୁଯାୟୀ ମା' ସପ୍ତମ ଦିନରେ ଘଟ ପରିକ୍ରମା ସମୟରେ ଅସ୍ଥାୟୀ ମନ୍ଦିରରୁ ବାହାରିଥାନ୍ତି । ବାପଘର ଦେଶୀ ବେହେରାଙ୍କ ପ୍ରଥମ ଆଳତୀ ପରେ ସେଠାରୁ ମହୁରୀ ରାଜବାଟୀ ଯାଇ ଆଳତୀ ଗ୍ରହଣ କରନ୍ତି । ସେଠାରେ ପୂଜାର୍ଚ୍ଚନା ଶେଷ ହେବା ପରେ ମା' ନିଜ ମାଉସୀଙ୍କ ଘର ସହରର ଜଉରା ସାହିକୁ ପରିକ୍ରମା କରିଥାନ୍ତି । ସକାଳ ସମୟରୁ ମାଆ ପରିକ୍ରମାରେ ବାହାରି ମଧ୍ୟରାତ୍ରରେ ସେଠାରେ ପହଞ୍ଚିଥାନ୍ତି ଏବଂ ମାଉସୀଙ୍କ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ସପ୍ତମ ଦିନରେ ମାଉସୀଙ୍କ ଘର ପରିକ୍ରମା ପରେ ସେଠାରୁ ବଡବଜାର ଖସ୍ପା ସାହି ଦେଇ ବିଭିନ୍ନ ସାହି ପରିକ୍ରମା କରି ମା' ବିଭିନ୍ନ ରଥକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଭିନ୍ନ ବେଶ ପଟୁଆରରେ ଅନେକ ମାନସିକଧାରୀ ମା'ଙ୍କୁ ଦର୍ଶନ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର