ଭୁବନେଶ୍ବର: କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି ।
ସେହିପରି ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କା ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି । ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି ।
ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ୨୯ ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ ବା ପିଆରଆଇ ଓ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ବା ଆରଏଲବି ଦ୍ୱାରା ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ । ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ । ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ ।
ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଛନ୍ତି । ଯାହା ପରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥାଏ । ଆବଣ୍ଟିତ ଅନୁଦାନଗୁଡିକ ଏକ ଆର୍ଥିକ ବର୍ଷରେ ୨ ଟି କିସ୍ତିରେ ସୁପାରିଶ ଏବଂ ପ୍ରଦାନ କରାଯାଏ । ପଂଚାୟତିରାଜ ଅନୁଷ୍ଠାନ ଓ ଗ୍ରାମୀଣ ସ୍ଥାନୀୟ ସଂସ୍ଥାକୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି, ଉତ୍ତରଦାୟିତ୍ୱ ବୃଦ୍ଧି ଏବଂ ଗାଁରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର