ସେ ପୁରୁଷ ହୁଅନ୍ତୁ କି ମହିଳା, କିଏ ବା ଚମକଦାର ସୁନ୍ଦର ଚେହେରା ନ ଚାହେଁ । ଏଥିପାଇଁ ମୁହଁରେ ନାନା ପ୍ରକାର କ୍ରିମ ଲଗାନ୍ତି । ବିଉଟି ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରନ୍ତି । ତେବେ ଆପଣ ବିନା ପାର୍ଲରରେ ବି ମୁହଁରେ ଗ୍ଲୋ ବଢାଇପାରିବେ । ହଳଦୀ ସହ କିଛି ସାଧାରଣ ସାମଗ୍ରୀ ମିଶାଇ ଲଗାଇଲେ ଚେହେରାରେ ଗ୍ଲୋ ଆସିଥାଏ । ହଳଦୀ ଏମିତି ଏକ ମସାଲା ଯାହା ପ୍ରତ୍ୟେକ ରୋଷେଇ ଘରେ ଥାଏ । ଏହା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ଏବଂ ଆମ ତ୍ବଚା ପାଇଁ ମଧ୍ୟ ଲାଭଦାୟକ । ଆୟୁର୍ବେଦରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ପ୍ରାଚୀନ କାଳରୁ ହଳଦୀର ବ୍ୟବହାର କରାଯାଉଛି । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଫଙ୍ଗଲ, ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଏହା ତ୍ବଚାର ରଙ୍ଗ ଉଜ୍ଜ୍ବଳ କରିବା, ଦାଗ ବ୍ରଣ ଦୂର କରିବା, ସଂକ୍ରମଣରୁ ସୁରକ୍ଷା ଦେବା ସହ ଚେହେରାର ଚମକ ଆଣିବାରେ ସାହାଯ୍ୟ କରେ ।
ହଳଦୀ ଓ ଦହି:
ଦହିରେ ଲାକ୍ଟିକ ଏସିଡ ଅଛି । ଏହା ପ୍ରାକୃତିକ ଏକ୍ସଫୋଲିଆଣ୍ଟ ଭାବେ କାମ କରେ । ଏହା ଡେଡ୍ ସ୍କିନକୁ ହଟାଇ ତ୍ବଚାକୁ ଚମକଦାର କରିଥାଏ । ଦହି ଓ ହଳଦୀ ପେଷ୍ଟ ମୁହଁରେ ଲଗାଇଲେ ଚର୍ମକୁ ପୋଷଣ ମିଳିଥାଏ ଓ ବ୍ରଣ ସମସ୍ୟା କମିଥାଏ ।
କିପରି ଲଗାଇବେ: ଗୋଟିଏ ଚାମଚ ଦହିରେ ଗୋଟିଏ ଚାମଚ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ମୁହଁରେ ଲଗାଇ 15ରୁ 20 ମିନିଟ୍ ଶୁଖିବାକୁ ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ ।
ହଳଦୀ ଓ ବେସନ:
ବେସନରେ ଭିଟାମିନ ଓ ପୋଷକ ତତ୍ତ୍ବ ମିଳିଥାଏ ଯାହା ତ୍ବଚାକୁ ପୋଷଣ ଯୋଗାଏ । ହଳଦୀ ଓ ବେସନ ପେଷ୍ଟ ମୁହଁରେ ଲଗାଇଲେ ତ୍ବଚାରୁ ଦାଗ, ବ୍ରଣ କମ୍ ହୋଇଥାଏ ।
କିପରି ଲଗାଇବେ: ଦୁଇ ଚାମଚ ବେସନରେ ଅଧା ଚାମଚ ହଳଦୀ ପାଉଡର ଓ ଅଳ୍ପ ପାଣି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟ ମୁହଁରେ ଲଗାନ୍ତୁ । 20 ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ ।
ହଳଦୀ ଓ ମହୁ:
ମହୁରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥାଏ । ଏହା ବ୍ରଣ ସହ ଲଢିବାରେ ସାହାଯ୍ୟ କରେ । ହଳଦୀରେ ମହୁ ମିଶାଇ ଲଗାଇଲେ ଚେହେରା ମଇଶ୍ଚରାଇଜ ଓ ମୁଲାୟମ ହୋଇଥାଏ ।
କିପରି ଲଗାଇବେ: ଏକ ଚାମଚ ମହୁରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ଚେହେରାକୁ ଲଗାଇ 15 ମିନିଟ୍ ଛାଡିଦିଅନ୍ତୁ ଓ ପରେ ଥଣ୍ଡା ପାଣିରେ ଧୁଅନ୍ତୁ ।
ହଳଦୀ ଓ ଆଲୋଭେରା:
ଆଲୋଭେରାରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ, ଏହା ତ୍ବଚାକୁ ଆରାମ ଦେଇଥାଏ । ହଳଦୀ ଓ ଆଲୋଭେରାରୁ ତ୍ବଚାକୁ ପୋଷଣ ମିଳିଥାଏ ଓ ଚମକପ୍ରଦ କରିଥାଏ ।
କିପରି ଲଗାଇବେ: ଏକ ଚାମଚ ଆଲୋଭେରା ଜେଲରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ଚେହେରାରେ ଲଗାଇ 20 ମିନିଟ୍ ଶୁଖିବାକୁ ଛାଡନ୍ତୁ । ଏବେ ଥଣ୍ଡା ପାଣିରେ ଧୁଅନ୍ତୁ ।
ହଳଦୀ ଓ ଲେମ୍ବୁ ରସ:
ହଳଦୀ ଓ ଲେମ୍ବୁ ରସ ପ୍ରାକୃତିକ ବ୍ଲିଚ୍ ଭାବେ କାମ କରେ । ଏହା ଦାଗ, ବ୍ରଣ କମ୍ କରିବାରେ ସାହାଯ୍ୟ କରେ । ହଳଦୀ ଓ ଲେମ୍ବୁ ରସ ଲଗାଇଲେ ତ୍ବଚା ଚମକଦାର ହୋଇଥାଏ ।
କିପରି ଲଗାଇବେ: ଏକ ଚାମଚ ଲେମ୍ବୁ ରସରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ଚେହେରାରେ ଲଗାଇ 10-15 ମିନିଟ୍ ଶୁଖିବାକୁ ଛାଡନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ଏହି ବିଷୟ ପ୍ରତି ଧ୍ୟାନ ରଖିବେ:
- ମୁହଁରେ ହଳଦୀ ଲଗାଇବା ପୂର୍ବରୁ ଏହାର ପ୍ରଥମେ ପ୍ୟାଚ୍ ଟେଷ୍ଟ କରନ୍ତୁ । (ଗଳାରେ କିମ୍ବା ହାତରେ ଲଗାଇ ପ୍ରତିକ୍ରିୟା ଦେଖିବା)
- ଯଦି ଆପଣଙ୍କୁ ହଳଦୀରେ ଆଲର୍ଜିରେ ଅଛି ତେବେ ଆଦୌ ବ୍ୟବହାର କରନ୍ତୁନି ।
- ହଳଦୀ ପେଷ୍ଟ ମୁହଁରେ ଲଗାଉଥିଲେ ସବୁବେଳେ ସନସ୍କ୍ରିନ ଲଗାନ୍ତୁ ।
- ସପ୍ତାହକୁ 2-3 ଥର ଏହି ପେଷ୍ଟକୁ ମୁହଁରେ ଲଗାଇଲେ ଫରକ୍ ନଜର ଆସିଥାଏ ।
Ref- https://pubmed.ncbi.nlm.nih.gov/27213821/
https://pubmed.ncbi.nlm.nih.gov/24305429/
https://pmc.ncbi.nlm.nih.gov/articles/PMC2763764/
(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)