Train Accident: ୪ ବର୍ଷର ଝିଅ ମୁଣ୍ଡ ଉପରୁ ଉଠିଗଲା ବାପାର ହାତ

🎬 Watch Now: Feature Video

thumbnail

By

Published : Jun 5, 2023, 9:17 PM IST

ବାଲେଶ୍ବର: ଶୁକ୍ରବାର କାଳରାତିରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିଏ ସ୍ବାମୀ ହରାଇ ମୁଣ୍ଡ ପିଟି କାନ୍ଦୁଛି ତ ଆଉ କାହାର ମଥାରୁ ବାପାର ହାତ ଉଠିଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ବିକ୍ଷିପ୍ତ ପଳେଇଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘରେ ସ୍ତ୍ରୀ ବାହୁନି ବାହୁନି କାନ୍ଦୁଥିବା ବେଳେ ୪ବର୍ଷର ଝିଅ ଏବେ ବାପାର ଫଟୋ ଧରି ବାପା ବାପା ଡାକୁଛି । ଯେଉଁ ଦୃଶ୍ୟ ଯିଏ କେହି ବି ଦେଖିଲେ ନିଜର କୋହ ସମ୍ଭାଳି ପାରିବ ନାହିଁ ।

ସୂଚନା ଅନୁସାରେ, ସିଙ୍ଗିପୁର ଗ୍ରାମର ଭଗବାନ ପଲେଇଙ୍କ ଏକମାତ୍ର ପୁଅ ବିକ୍ଷିପ୍ତ TPNODLରେ ଚାକିରି କରୁଥିଲେ । ଏଥିପାଇଁ ସ୍ତ୍ରୀ ଓ ଝିଅକୁ ନେଇ ବିକ୍ଷିପ୍ତ ଭଦ୍ରକର ଏକ ଭଡ଼ା ଘରେ ରହୁଥିଲେ । ପ୍ରତିଦିନ ବିକ୍ଷିପ୍ତ ଭଦ୍ରକରୁ ବାଲେଶ୍ଵର ଅଫିସ ଆସନ୍ତି ଓ ଅଫିସ କାମ ସାରି ପୁଣି କରମଣ୍ଡଳରେ ଘରକୁ ଫେରନ୍ତି । ଶୁକ୍ରବାର ମଧ୍ୟ ବିକ୍ଷିପ୍ତ ଝିଅ ଓ ସ୍ତ୍ରୀକୁ କହିଥିଲେ ଠିକ ଟାଇମରେ ଘରେ ପହଞ୍ଚିବେ । ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା । ଟ୍ରେନରେ ବିକ୍ଷିପ୍ତ ବସିବା ପରେ ସ୍ତ୍ରୀ ଶୁଭଶ୍ରୀ ଫୋନ କରି କଥା ହୋଇଥିଲେ। ଶୀଘ୍ର ଘରେ ପହଞ୍ଚିବା ନେଇ ସୂଚନା ମଧ୍ୟ ଦେଇଥିଲେ। ହେଲେ ଶୁଭଶ୍ରୀ କଣ ଜାଣିଥିଲେ ଯେ ଏହାହିଁ ତାଙ୍କର ସ୍ବାମୀ ପାଖକୁ ଶେଷ କଲ ହେବ। ଦୁର୍ଘଟଣା ଘଟିବାର କିଛି ସମୟ ପରେ ଶୁଭଶ୍ରୀ ବ୍ୟସ୍ତ ହୋଇ ସ୍ବାମୀଙ୍କୁ ଫୋନ ପରେ ଫୋନ କରି ଚାଲିଥିଲେ ।

ଏହା ବି ପଢନ୍ତୁ- Train Tragedy: ହୋଇଥାନ୍ତେ ଇଞ୍ଜିନିୟର, ବିଧିର ବିଧାନ ଥିଲା ଭିନ୍ନ

ହେଲେ କେହି ଫୋନ ଉଠାଇ ନଥିଲେ । ପରେ ପରେ ବିକ୍ଷିପ୍ତଙ୍କ ମୋବାଇଲ ଅଫ ହୋଇଗଲା । ବ୍ୟସ୍ତ ହୋଇ ଶୁଭଶ୍ରୀ ବିଭିନ୍ନ ମାଧ୍ୟମରେ ଖୋଜାଖୋଜି କରିବା ପରେ ଶେଷରେ ସ୍ବାମୀଙ୍କ ମୃତଦେହ ବାହାନଗା ସ୍କୁଲରୁ ପାଇଥିଲେ । ମୃତଦେହ ଗାଁରେ ପହଞ୍ଚିବା ପରେ ଦେଖାଦେଇଥିଲା ଶୋକାକୁଳ ପରିବେଶ । ସିନ୍ଦୁରକୁ ହରାଇ ଶୁଭଶ୍ରୀ ବାହୁନି ବାହୁନି କାନ୍ଦୁଥିଲେ। ପୁରୀ ଯିବାପାଇଁ ବିକ୍ଷିପ୍ତ କଥା ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଏମିତି ଘଟଣା ଘଟିଗଲା ।  ଯାହାପାଇଁ ଏବେ ଶୁଭଶ୍ରୀ ଭାଗ୍ୟକୁ ନିନ୍ଦିବା ସହ କାହିଁକି ଏମିତି କଲ ମହାବାହୁ ବୋଲି ସେ ପ୍ରଶ୍ନ କରି ଚାଲିଛନ୍ତି ।  

ଶୁଭଶ୍ରୀଙ୍କ କୋଳରେ ଥିବା ୪ବର୍ଷର ଝିଅ କହୁଛି ବାପା ଆସିବେ । ଝିଅକୁ ବୁଝେଇବେ ନା ନିଜ ମନକୁ ବୁଝେଇବେ ଶୁଭଶ୍ରୀ । ବାପାଙ୍କ ଫଟୋଟି ଧରି ଝିଅ ଡାକ ଛାଡ଼ୁଛି ବାପା ବାପା । ହେଲେ ସେ ବାଳୁତ ପିଲା କଣ ଜାଣିଛି ତା ବାପା ଆଉ ତା ଡାକ ଶୁଣିବେ ନାହିଁ । ବିକ୍ଷିପ୍ତଙ୍କ ବାପା ୭ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ବିକ୍ଷିପ୍ତ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ।  ଏବେ ଟ୍ରେନ ଦୁର୍ଘଟଣା ପରିବାର ପାଖରୁ ଛଡାଇ ନେଇଛି ହସଖୁସି । ବିକ୍ଷିପ୍ତ ତ ଆଉ ଫେରିବେନି ହେଲେ ଏ ପରିବାର ମୁହଁରେ ହସ କେମିତି ଫେରିବ ଯାହା ସେ କାଳ ରାତି ଛଡାଇ ନେଇଛି, ତାହା ଏବେ ପ୍ରଶ୍ନବାଚୀ ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.