ହାଇଦ୍ରାବାଦ: କାଶ ହେଲେ ପ୍ରାୟ ସମସ୍ତେ କଫସିରପର ବ୍ୟବହାର କରିଥାଆନ୍ତି। ଯଦି ଆପଣ ମଧ୍ୟ କଫସିରପ ବ୍ୟବହାର କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କଫସିରଫକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି। ଗତବର୍ଷ ଉଜବେକିସ୍ତାନରେ କଫସିରପ ପିଇ 19 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଉକ୍ତ କଫସିରପ ନୋଏଡାର ଏକ କମ୍ପାନୀ ତିଆରି କରିଥିବା ନେଇ ଦାବି କରାଯାଇଥିଲା। ଏହାରି ଭିତରେ କଫ ସିରପକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ନ୍ୟୁଜ ଏଜେନ୍ସି ଆଇଏନଏସର ରିପୋର୍ଟ ଅନୁସାରେ, ଦେଶରେ କଫସିରଫ ତିଆରି କରୁଥିବା 40ରୁ ଅଧିକ କମ୍ପାନୀ କ୍ବାଲିଟି ଟେଷ୍ଟରେ ଫେଲ ହୋଇଯାଇଥିବା ଦର୍ଶାଯାଇଛି। ସାରା ବିଶ୍ବରେ କଫସିରପ ପିଇ 141 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଅନେର ପରୀକ୍ଷଣ କରାଯାଇଥିଲା। ଏହାପରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି।
ସିଡିଏସସିଓ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, 1105 ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସେଥରୁ 59ଟି ନମୁନାକୁ ମାନକ ଗୁଣବତ୍ତା ନୁହେଁ(not of standard quality) ବୋଲି ଘୋଷଣା କରାଯାଇଛି। ଔଷଧ, ଚିକିତ୍ସା ଉପକରଣ ଏବଂ ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ସିଡିଏସସିଓ ପକ୍ଷରୁ ବିଭିନ୍ନ ସରକାରୀ ଲ୍ୟାବରେ ଟେଷ୍ଟ କରାଯାଇଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଛି। 40ରୁ ଅଧିକ କଫସିରପ ଅପମିଶ୍ରିତ ବୋଲି ଦର୍ଶାଯାଇଛି।
ଏହା ମଧ୍ୟ ପଢନ୍ତୁ: କ୍ବାଲିଟି ପରୀକ୍ଷାରେ 48ଟି ଔଷଧ ଫେଲ୍, ତାଲିକାରେ ବିପି ମେଡିସିନ୍ ବି ସାମିଲ୍
ହୁ'ର ରିପୋର୍ଟ: ପୂର୍ବବର୍ଷ ଅକ୍ଟୋବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଥିଲା ଯେ, ଗାମ୍ବିଆରେ ମୃତ୍ୟୁ ହୋଇଥିବା ପ୍ରାୟ 70ଜଣ ଶିଶୁଙ୍କ ପାଇଁ ଭାରତୀୟ ନିର୍ମିତ କଫସିରପ ଦାୟୀ ହୋଇପାରେ। ଏହାପରେ ଭାରତରେ ନିର୍ମିତ କଫସିରପ ଚର୍ଚ୍ଚା ପରିସରକୁ ଆସିଥିଲା। ଏହାପରେ କଫସିପର ଯାଞ୍ଚ ନେଇ ଆଦେଶ ଦିଆଯାଇଥିଲା।
କହିରଖୁଛୁ କି, ବିଶ୍ବର ଅନେକ ଦେଶ ଔଷଧର ଚାହିଦା ମେଣ୍ଟାଇବା ବା ପୁରା କରିବା ପାଇଁ ଭାରତ ଉପରେ ନିର୍ଭର କରିଥାଆନ୍ତି। କେଭିଡ-19 ସମୟରେ ଅନେକ ଦେଶକୁ ଆଣ୍ଟିବାୟୋଟିକ ଔଷଧ ସହ ଟିକା ଯୋଗାଇଥିଲା ଭାରତ। କିନ୍ତୁ ବର୍ତ୍ତମାନ ଭାରତରେ ତିଆରି କଫସିରଫକୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ଏକ ଚିନ୍ତାଜନକ ବିଷୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ