ରାଉରକେଲା: ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଲୁଟ । ବିଦ୍ୟୁତ୍ କାଟରେ ଫାଇଦା ଉଠାଇ ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା । ବନ୍ଧୁକ ଦେଖାଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଭୟଭୀତ କରାଇଥିଲେ । ଏଭଳି ଘଟଣା ଘଟିଛି ବୀରମିତ୍ରପୁର ବ୍ଳକ କୁମଝରିଆ ଗାଁରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅପରାଧୀଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ହେଉଛନ୍ତି ସୁଶାନ୍ତ ଦାସ ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ କୁମଝରିଆ ଗାଁରେ ବର୍ଷା ସାଙ୍ଗକୁ ବଜ୍ରପାତ ଲାଗି ରହିଥିଲା । ଏହି ସମୟରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଯାହାର ଫାଇଦା ଉଠାଇଥିଲେ ଲୁଟେରା । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ ପସି ଲୁଟ କରିଥିଲେ। ସୁଶାନ୍ତ ଦାସ ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁ ଦେଖାଇ ଭୟଭୀତ କରିବା ପରେ ଘରେ ଥିବା ଟଙ୍କା ଓ ସୁନାକୁ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।
ଲୁଟ୍ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ 9 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ଦାସ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିଲେ । ଏହି ସମୟରେ ବର୍ଷା ଯୋଗୁଁ ଯୋଗୁ ବିଦ୍ୟୁତ କାଟ୍ ହୋଇଥିଲେ । ରାତି ପ୍ରାୟ 10ଟା 30 ସମୟରେ ପାଞ୍ଚ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶିଥିଲେ । ତିନିଜଣ ଡକାୟତ ହାତରେ ପିସ୍ତଲ ଧରିଥିବା ବେଳେ ଅନ୍ୟମାନେ ଧାରୁଆ ଅସ୍ତ୍ର ଧରିଥିଲେ । ବନ୍ଧୁକ ମୁନରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଭୟଭୀତ କରାଇ ଡକାୟତ ମାନେ ଲୁଟ୍ କରିଥିଲେ । ପୋଲିସକୁ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ।
ତେବେ ଘରର ଝରକା ଏବଂ ଗ୍ରିଲ କାଟି ଡକାୟତ ମାନେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଡକାୟତି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ । ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।
ଇଟିଭି ଭାରତ, ସୁନ୍ଦରଗଡ