ସୁନ୍ଦରଗଡ: ସଂକୀର୍ତ୍ତନ ପ୍ରତିଷ୍ଠାନ ଉଚ୍ଛେଦ ନେଇ ଭାଜପା ମହିଳା ମୋର୍ଚ୍ଚାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ନ୍ୟାୟ ନ ମଳିଲେ ଆନ୍ଦୋଳନ ଜୋରଦାର କରିବା ଚେତାବନୀ ଦେଇଛନ୍ତି ମହିଳା। ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ଅନୁଷ୍ଠାନର ଭଙ୍ଗାରୁଜ୍ଜାକୁ କେନ୍ଦ୍ରକରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରର ମହେଶଡିହି ଅଞ୍ଚଳରେ ବହୁ ପୂର୍ବରୁ ଏକ ସଂକୀର୍ତ୍ତନ ଅନୁଷ୍ଠାନ ପ୍ରତିଷ୍ଠା ହୋଇ ସଂକୀର୍ତ୍ତନ କରି ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ବିନା ସୂଚନାରେ ଗତ 10 ଜୁଲାଇରେ ଉଚ୍ଛେଦ କରିଥିବାକୁ ନେଇ ଏହି ପ୍ରତିକ୍ରିୟା ଉଠିଛି । ଆଜି ସଂକୀର୍ତ୍ତନ ମଣ୍ଡଳୀର କେତେକ ସଭ୍ୟା, ଭାଜପା ମହିଳାକର୍ମୀଙ୍କ ସହ ମିଶି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
ଜିଲ୍ଲାପାଳ ଏହି ଧାର୍ମିକ ଅନୁଷ୍ଠାନକୁ ସୁରକ୍ଷା ଦେବା ପରିବର୍ତ୍ତେ ତାକୁ ଭଙ୍ଗା ରୁଜ୍ଜା କରିବା ନେଇ ସେମାନେ କୈଫୟତ ମାଗିଛନ୍ତି । ଜିଲ୍ଲାପାଳ ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଚେତାବନୀ ଦେଇଛନ୍ତି । କେବଳ ସେତିକି ନୁହେଁ ମ୍ୟୁନିସିପାଲିଟି ଭାଙ୍ଗିବା ଦିନ ଠାରୁ ପ୍ରଶାସନ ଏକଛତ୍ରବାଦ ଶାସନ ଜାରି ରଖିଥିବା କଥା ଅପରପକ୍ଷେ ଭାଜପା ମୁଖପାତ୍ର ହିମାଂଶୁ ଷଡଙ୍ଗୀ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ