ଭୁବନେଶ୍ବର: ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରାଜଧାନୀ ଭୁବନେଶ୍ଵରରେ ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ହେବ ଫ୍ଲାଇଓଭର । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର । ଆସନ୍ତା ୨୦୨୭-୨୮ ସୁଦ୍ଧା ଫ୍ଲାଏଓଭରର ଅଧିକାଂଶ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଏହି ରାସ୍ତାରେ ଭୁବନେଶ୍ୱର - କଟକ ମେଟ୍ରୋ ରେଳ ପ୍ରକଳ୍ପ ପରିକଳ୍ପନା କରାଯାଇଛି । ଯଦି ଫ୍ଲାଏଓଭର ହୁଏ ତେବେ କେମିତି ଯିବ ମେଟ୍ରୋ ରେଳ ପ୍ରକଳ୍ପ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଉଭୟ ପ୍ରକଳ୍ପ ଲାଗି ନାଗପୁର ଢାଞ୍ଚାରେ ଭୁବନେଶ୍ଵରରେ ମଲ୍ଟିଲେୟାର ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି ।
- ପ୍ରକଳ୍ପର ଆକ୍ସନ ପ୍ଲାନ ନେଇ ଏମିତି କହିଲେ ପୂର୍ତ୍ତ ମନ୍ତ୍ରୀ
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି," ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏଓଭର କାର୍ଯ୍ୟ ଆରମ୍ଭ ପାଇଁ ମୋହନ ସରକାର ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକିନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏଓଭର ରହିଛି ତାକୁ ସଂଯୋଗ କରି ଉକ୍ତ ଫ୍ଲାଏଓଭର ନନ୍ଦନକାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ-ୱେ ମଧ୍ୟ ନିର୍ମାଣ ହେବ । ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବନାହିଁ । ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଯୋଜନା କରାଯାଇଛି । ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ । ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ନିର୍ମାଣ ହେବ । ଏଇ ରାସ୍ତା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ଆମେ ଆଶା ରଖିଛୁ ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପରୁ ବଡ଼ ଭାଗ ଆମେ ଶେଷ କରି ଦେଇଥିବୁ । ସେହି ଯୋଜନା ନେଇ କାର୍ଯ୍ୟ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- କାଲିଠୁ ବଜେଟ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ କପୁରଥାଲା ହାଉସରେ ହଲଚଲ, କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବୈଠକ |
- ଫ୍ଲାଏଓଭର ହେଲେ ପ୍ରଭାବିତ ହେବ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ
ଯଦି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଇଓଭର ବ୍ରିଜ ନିର୍ମାଣ ହୁଏ, ତେବେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପର ଭାଗ୍ୟ କଣ ହେବ ? ବନ୍ଦ ହୋଇଯିବ କି ମେଟ୍ରୋ ରେଳ ପ୍ରକଳ୍ପ ? ଓଡିଶା ବାସୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଆଶା ଆଶାରେ ରହିଯିବ କି ? ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ "ଫ୍ଲାଏଓଭର ବ୍ରିଜ ନିର୍ମାଣ ହେବା ଦ୍ୱାରା ମେଟ୍ରୋ ରେଳ ପ୍ରକଳ୍ପ ହେବାରେ କୌଣସି ଅସୁବିଧା ନାହିଁ । ନାଗପୁର ଢାଞ୍ଚାରେ ଭୁବନେଶ୍ୱରରେ ହେବ ମଲ୍ଟି ଲେୟର ଟ୍ରାନ୍ସପୋର୍ଟ । ମଲ୍ଟିଲେୟାର ପରିବହନ ବ୍ୟବସ୍ଥା ଜରିଆରେ ରାଜ୍ୟ ସରକାର ବିଶ୍ୱସ୍ତରୀୟ ଭିତ୍ତିଭୂମି, ବିଶ୍ୱସ୍ତରୀୟ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦେଉଛନ୍ତି । ନାଗପୁର ଢାଞ୍ଚାରେ ମଲ୍ଟିଲେୟାର ରାସ୍ତା ହେଲେ ପ୍ରଥମ ଲେୟାରରେ ହାଇୱେ, ଦ୍ବିତୀୟ ଲେୟାରରେ ହାଇୱେ ଫ୍ଲାଇଓଭର ଏବଂ ତୃତୀୟ ଚେୟାରରେ ମେଟ୍ରୋ ରେଳ ଚାଲିବ । ଦୁଇ ପାର୍ଶ୍ଵରେ ୩୦୦ ମିଟରର ଆପ୍ରୋଚ ରୋଡ଼ ମଧ୍ୟ ରହିବ । ହାଇୱେ ଫ୍ଲାଇଓଭରର ଲେବେଲ ୯ ମିଟର ଏବଂ ମେଟ୍ରୋର ଲେବେଲ ୨୦ ମିଟର ରହିପାରେ । ଏଥିପାଇଁ RIB AND SPINE (ରିବ ଆଣ୍ଡ ସ୍ପାଇନ) ଟେକ୍ନୋଲୋଜି ବ୍ୟବହାର ହେବ । ଏହା ଏକ ଉନ୍ନତମାନର ଜ୍ଞାନ କୌଶଳ । ଏହା ଦ୍ବାରା ସୂର୍ଯ୍ୟ କିରଣ ସହ ବାୟୁ ଚଳାଚଳ ବି ସ୍ବାଭାବିକ ରହିବ ।"
ଇଟିଭି ଭାରତ, ଭୁବନେଶ୍ବର