ସୁବର୍ଣ୍ଣପୁର: ଗାଁରୁ ସହର ପ୍ରଚଣ୍ଡ ରୈଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ସୁବର୍ଣ୍ଣପୁର ପରିଣତ ହୋଇଥିବା ବେଳେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ଖରା ତାତିରୁ ରକ୍ଷା ପାଇବା ପାଇଁ ସାରା ଜୀବଜଗତ ପିଇବା ପାଣି ଓ ଆଶ୍ରୟ ପାଇଁ ଛାଇ ଖୋଜୁଛନ୍ତି ।
ଗତ ତିନି ବର୍ଷ ହେଲା ଲଗାତର ଭାବେ ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ଗତ ଦୁଇ ଦିନ ହେଲା ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଲୋକେ ସକାଳୁ ସକାଳୁ ନିଜ କାର୍ଯ୍ୟରେ ବାହାରି ପଡୁଥିବା ବେଳେ ଦିନ ପ୍ରାୟ 11ଟା ବେଳେ ଘରକୁ ଫେରି ଆସୁଛନ୍ତି । ଦିନ 11ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି ।
ଲୋକେ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଥଣ୍ଡା ପାନୀୟ ଓ ଛାଇରେ ଆଶ୍ରୟ ନେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତର ମୁକାବିଲା କରିବାକୁ ସେତେଟା ସଚେତନତା କରାଯାଇ ନ ଥିବା ବେଳେ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହେଉଛି । ଏପରିକି ସହରରେ ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଗୁଡିକ ଠିକ ଭାବେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକେ ଥଣ୍ଡା ପାଣି ଟିକିଏ ବି ପାଉ ନାହାନ୍ତି । ତେବେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ