ସୁବର୍ଣ୍ଣପୁର: କୃଷି କାର୍ଯ୍ୟ ଉପରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର। ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ ବର୍ଷର ବିଭିନ୍ନ ସମୟରେ ତାଲିମ ପ୍ରଦାନ କରିବା ସହିତ କାର୍ଯ୍ୟାଳୟ ପରିସରରେ ଏକ କୃଷି କ୍ଷେତ୍ର ପ୍ରଦର୍ଶନୀ କରିଛି । ଫଳରେ ଚାଷୀ ଏଠାରେ ତାଲିମ ଗ୍ରହଣ କରି କିଭଳି ବିଭିନ୍ନ ପ୍ରକାରର ଚାଷ କାର୍ଯ୍ୟ କରାଯାଉଛି ତାହା ଦେଖି ପାରୁଛନ୍ତି । ଏପରିକି ଚାଷୀମାନଙ୍କୁ ଏଠାରୁ ଉନ୍ନତ କିସମର ବିହନ ଯୋଗାଇ ଦେବା ସାଙ୍ଗକୁ କୃଷିଭିତ୍ତିକ ପରାମର୍ଶ ମଧ୍ୟ ପ୍ରଦାନ କରାଯାଉଛି । ଫଳରେ ଜିଲ୍ଲାର ଚାଷୀମାନେ ଅଣଧାନ ଫସଲ ଓ ଉଦ୍ୟାନ କୃଷି ଉପରେ ବେଶ ଆକର୍ଷିତ ହେଉଛନ୍ତି ।
ଏଠାରେ ଚାଷୀମାନଙ୍କୁ ବାସ୍ନା ଧାନ ଚାଷ ଓ ମରୁଡି ସହନଶୀଳ ଧାନ ବିହନ ବି ଯୋଗାଇ ଦିଆଯାଉଛି । ଯାଦ୍ବାରା ଚାଷୀ ଅଧିକ ଉତ୍ପାଦନ କରିବା ସାଙ୍ଗକୁ ଅଧିକ ରୋଜଗାର କରିପାରୁଛି । ଚାଷ କାର୍ଯ୍ୟ ଭିତରେ ପକ୍ଷୀ ପାଳନ ବିଶେଷକରି ଉନ୍ନତ କିସମର କୁକୁଡା ଚିଆଁ ଯୋଗାଇ ଦିଆଯାଉଛି । ଏବଂ ରଙ୍ଗୀନ ମାଛ ଚାଷ ଓ ବିଭିନ୍ନ ପ୍ରକାରର ଛତୁ ଚାଷ ପ୍ରଶିକ୍ଷଣ ଦିଆଯିବା ସହିତ ବିହନ ଯୋଗାଇ ଦିଆଯାଉଛି । ସାମୁଦ୍ରିକ ଜଳବାୟୁ ନ ହେଲେ ବି ନଡିଆ ଚାଷ ଓ ଆର୍ଦ୍ର ଜଳବାୟୁ ନ ହେଲେ ବି ସେଓ ଚାଷ ତଥା ନାତୀଶିତୋଷ୍ଣ ନ ହେଲେ ବି କାଜୁ ଚାଷ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ଚାରା ଯୋଗାଇ ଦିଆଯାଉଛି ।
ଏପଟେ ଚାଷୀମାନେ ଅଣଧାନ ଫସଲ ଓ ଉଦ୍ୟାନ କୃଷି ଉପରେ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି କୃଷି ବିଜ୍ଞାନ କେନ୍ଦ୍ର ପରିସର ଭିତରେ ତିଆରି ହୋଇଥିବା କୃଷି ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିବା ପରେ ଭିନ୍ନ ଭିନ୍ନ ଚାଷ ପାଇଁ ଚାଷୀମାନେ ବେଶ ଉତ୍ସାହ ଦେଖାଉଛନ୍ତି । ଦିନକୁ ଦିନ ଅଧିକରୁ ଅଧିକ ଚାଷୀ ଅତି ଅଳ୍ପ ଚାଷଜମି ଅବା ପଡିଆ ଜମିରେ ଉନ୍ନତ କିସମର ଅଣଧାନ ଚାଷକରି ବେଶ ରୋଜଗାର କରୁଛନ୍ତି । ତେବେ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବାରୁ ଚାଷୀମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ